ସେଇ ମେଘ
ସେଇ ମେଘ


ତୁମ ଗାଁ ଦେଇ ଆସି ସେଇ ମେଘ
ଯେବେ ବରଷି ଯାଏ ମୋ ଗାଁରେ
ସେଇ ମେଘର ମହ୍ଲାରେ ହୋଇ ଉଲ୍ଲସିତ
ଝୁମେ ତୁମ ଛୁଆଁ ଥିବା ସେଇ ବାଆରେ
ବିଜୁଳି ଚମକେ ଘଡଘଡି ଡାକେ ସଭିଁଏ
ହୋଉଥାନ୍ତି ଯେବେ ଥରହର
ତୁମରି ଭାବନା ମନେ ମୋ ଉକୁଟେ
ବହେ ଦେହରେ ପୀରତିର ଧାର
ତୁମ ସ୍ମୃତି ସବୁ ଜଗାଇ ସେ ମେଘ
ଆନନ୍ଦ ଭରେ ମୋ ମନରେ
ବରଷାର ଧାର ସାଜେ ମନ୍ଦାକିନୀ
ଭିଜେ ମୁଁ ତୁମ ପ୍ରେମ ବର୍ଷାରେ ା
ସେଇ ମେଘ ଆସି ସିନା ଚାଲିଯାଏ
ହେଲେ ଯାଏନା ତୁମର ବାସ
ତୁମେ ଆସିବାରେ ଡେରି କରୁଅଛ
ମନେ ମୋ ଭରେ ନିରାଶ
କିଆ,କେତକୀ,ହେନା ବି ଲାଗଇ ବିଷ
ତୁମେ ଆସିବାର ବିଳମ୍ବ ରଚଇ
ମୋ ମନେ ବିରାଟ ବିରାଟ ଅବଶୋଷ
ନିସ୍ତରେ ମୁହିଁ କ୍ଷଣିକ ପାଇଁ
ସତେ ମେଘ ଦେଇଯାଏ କୁଶଳ ବାରତା
ଟୁପୁରୁ ଟାପର ଶବଦେ ଥୋଇ ।
ସେଇ ମେଘ ଗଲା ପରେ ଆକାଶରେ
ଇନ୍ଦ୍ରଧନୁ ଯେବେ ତା ଶୋଭା ପସାରେ
ଉଙ୍କି ମାରଇ ସୂରୁଜ ଧିରେ ଧିରେ
ବିଛୁରେ ସୁନେଲି କିରଣ ପଶ୍ଚିମରେ
ତୁମ ଗାଁ ଦେଇ ଆସେ ସେ କିରଣ
ଲାଗେ ତୁମ ଆସୁଅଛ ନେପଥ୍ୟରେ
କୋଳାହଳମୟ ଲାଗି ପରିବେଶ
ମୁଁ ପ୍ରକୃତିସ୍ଥ ହୁଏ ମୋ ଘର ଭିତରେ
ସବୁକିଛି ଲାଗେ ମରିଚିକା ସମ
ବାସ୍ତବ ପ୍ରହାରେ ମୋ ନିଜ ଭିତରେ
ମୁଁ ହଜିଯାଏ ପୁଣି ମୋ କର୍ତ୍ତବ୍ୟରେ
ସେଇ ମେଘ ଗଲା ପରେ ତା ବାଟରେ ।