ପ୍ରଥମ ପ୍ରେମର ରଙ୍ଗ
ପ୍ରଥମ ପ୍ରେମର ରଙ୍ଗ
ପ୍ରେମ ମନ୍ଦାକିନୀ ଚିର ସ୍ରୋତସ୍ୱନି
ପ୍ରେମ ଶ୍ରାବଣର ଧାରା
ମୃତ୍ୟୁ ସଂଜୀବନୀ ପ୍ରେମର ପରଶେ
ଉଷର ଭୂମିରେ ଚାରା
ପ୍ରେମ ଅନାବିଳ ପ୍ରେମ ହିଁ ଶାଶ୍ୱତ
ପ୍ରେମ ଅଟେ ଅବିନାଶୀ
ସେ ପ୍ରେମ ଜାଲରୁ ମୁକୁଳିବା କଷ୍ଟ
ଯଦି ଗଲ ଥରେ ଫସି
ପ୍ରେମର ରଙ୍ଗତ ଖାଲି ଗାଢ଼ ନାଲି
ସେତ ସାଧବାଣୀ ବୋହୁ
ପହିଲି ପ୍ରେମ ଲାଗେ ଭାରି ମିଠା
ନୁହେଁ ସମସରି ମହୁ
ଆସିଲେ ଯୌବନ ଖେଳେ ଶିହରଣ
ସୃଷ୍ଟି ହୁଏ ଉଦ୍ଦୀପନା
ପରି ରାଇଜରେ ଘୁରିବୁଲେ ମନ
ମନ ହୁଏ ଆନମନା
ପ୍ରଥମ ପ୍ରେମରେ ମନ କୁତୁକୁତୁ
ଥାଏ ମନ ଭୟଭୀତ
ଲାଗେନାହିଁ ଭୋକ ଲାଗେନାହିଁ ଶୋଷ
କି ଖରା ବରଷା ଶୀତ
ପ୍ରଥମ ପ୍ରେମ ଭାରି ମଜାଦାର
ମନ ଖାଲି ଛନଛନ
ବିରହ ବେଦନା ହୁଅଇ ଅସହ୍ୟ
କରେ ଦଗ୍ଧୀଭୂତ ପ୍ରାଣ
ପ୍ରଥମ ପ୍ରେମରେ ମନ ଦିଆନିଆ
ମନେ ଅସୁମାରୀ ସ୍ବପ୍ନ
ଚୋରା ପୀରତି କି ସମୟ ନିଅଣ୍ଟ
ଡହଳ ବିକଳ ମନ
ଆଗେ ଥିଲା ପ୍ରେମ ଚିଠି ଦିଆନିଆ
ଯାତରା ପରବେ ଭେଟ
ଏବେ ସେ ତରିକା ଯାଇଛି ବଦଳି
ମୋବାଇଲି ଭିଡିଓ ବାଟ
ସପିଙ୍ଗ ମଲ, ପାର୍କ ରେସ୍ତୋରାଁ ତ
ପ୍ରେମର ହିଁ ଆଡସ୍ଥଳୀ
ମୁହଁଲୁଚା ପିନ୍ଧି ବାଇକି ପଛରେ
ପ୍ରେମିକା ବସଇ ଢଳି
ଆଗେ ଥିଲା ପ୍ରେମ ସ୍ୱଚ୍ଛ ନୀରିମଳ
ଯଥା ଗଙ୍ଗା ନଦୀ ଜଳ
ଏବେ କିନ୍ତୁ ପ୍ରେମ ପ୍ରତାରଣା ପୂର୍ଣ୍ଣ
ସ୍ୱାର୍ଥ ଛଳନା ର ଖେଳ
