ପ୍ରସ୍ଫୁଟିତ ଫୁଲର ମାନ ଭଞ୍ଜନ
ପ୍ରସ୍ଫୁଟିତ ଫୁଲର ମାନ ଭଞ୍ଜନ
( ରାଗ -- ଖଣ୍ଡ କୁମ୍ଭ କାମୋଦୀ )
ଫଗୁଣ ପରଶେ ପ୍ରକାଶି ବିକଶେ ବୃକ୍ଷର ଡାଳେ,
ଅପୂର୍ବ ସୁଷମା ଫୁଲର ଉପମା ମହୀ ମଣ୍ଡଳେ।
ରଙ୍ଗଭରା ଅଙ୍ଗ ସପନେ ତରଙ୍ଗ ଆନନ୍ଦେ ଖେଳେ,
ମହକ ବିତରି ଦେଖାଇ ତା' ଶିରୀ ଗରବେ ଭାଳେ।
ହୋଇ ଅଭିମାନୀ କା' କଥା ନଶୁଣି କରେ ବିଦ୍ରୁପ,
ରୂପ ଗୁଣ ତାର ଅଛି ଭରପୁର ଦେହେ ଅମାପ।
ତା' ରୂପର ମୋହେ କଢ଼ଟିକୁ କହେ ତୁ କେଡ଼େ ହୀନ,
ପାରୁନି ବିକଶି ହେଉ ତୁ ଅଳସୀ ନାହିଁ ରୂପ ଗୁଣ।
ଡଉଲ ଡାଉଲ ନିଜ ରୂପେ ଫୁଲ କହେ ଆନକୁ,
ମୋ ପରି ନାହିଁକେ ଏ ସାରା ମୂଲକେ ସରି ହେବାକୁ।
ଚାହିଁ ସେ କଣେଇଁ ଉପହାସ କରି କହେ ଉଛୁଳି,
ଆଲୋ ଅଭାଗିନୀ ସକାଳେ ତୁ ଫୁଟି ଗଲୁ ମଉଳି।
ଦେଖ ଲୋ ମୋତେ ତୁ ଜଳେ ହୁତୁ ହୁତୁ ରୂପ ଚମକେ,
ମୋ ଆଡ଼କୁ ଆଖି ରହିଛି ତ ଲାଖି ଏକ ପଲକେ।
ବିଧାତା ସୃଷ୍ଟିରେ ଅନନ୍ୟା ସଂସାରେ ଲାବଣ୍ୟବତୀ,
ମୋ ଲାଗି ପ୍ରକୃତି ସୁନ୍ଦର ଯେ ଅତି ମୋର କି ଖ୍ୟାତି ?
ଆତ୍ମ ଅଭିମାନୀ ଫୁଲ କଥା ଶୁଣି କହିଲା ଗଛ,
ଆଲୋ ଫୁଟା ଫୁଲ କହୁଛୁ ତୁ ଭୁଲ ଏ ତୁଚ୍ଛ ମିଛ।
କାହା ଗରବରେ ରାଗ ଗରଗରେ କହୁ ତୁ କଥା,
ଟିକକ ଜୀବନ କ୍ଷଣକକୁ ଆନ ସବୁ ଅଯଥା।
ଆଜିର କଢ଼ଟି କାଲିକୁ ଯେ ଫୁଟି ମହକି ଯିବ,
ଫୁଟିଥିଲା ଯିଏ ମଉଳି ସେ ଯାଏ ଦେଖେ ଦଇବ।
ତୋର ଗର୍ବ ଭାବ କିଏ ସେ ସହିବ କରୁ ବଢ଼େଇ,
ରୂପ ଗୁଣ ତୋର ନିମିତ୍ତ ମାତର ଯିବ ଦୂରେଇ।
ନିମିଷକ ପାଇଁ ହୃଦୟକୁ ଚାହିଁ କର ବିଚାର,
ସଂସାର କାନନେ ଗର୍ବ କରି ମନେ କିଏ କାହାର ?
ନିତି ନିତି କେତେ ଫୁଟଇ ମରତେ ତୋ ପରି ଫୁଲ,
କିଏ କା'କୁ ଝୁରେ ଚାଲି ଗଲା ପରେ ପାଇ ସେ ଭଲ।
ତ୍ୟାଗ ସମର୍ପଣ ନାହିଁ ଯଦି ଜାଣ ଜୀବନ ବୃଥା,
ଜଗତର ହିତେ ଥିଲେ ଅବିରତେ ଦୂରେ ଯାଏ ବ୍ୟଥା।
ଶୁଣି ଫୁଟା ଫୁଲ ବୁଝି ତାର ଭୁଲ ରହିଲା ମୌନ,
ଭାଙ୍ଗି ଅଭିମାନ ରଖି ତାର ଧ୍ୟାନ କାଟେ ଜୀବନ।
ପ୍ରଭୁଙ୍କ ପୂଜାରେ ଲାଗି ଆନନ୍ଦରେ ହୁଏ ସେ ଧନ୍ୟ,
ଲଭି ଆତ୍ମଜ୍ଞାନ ରହେ ଅମଳିନ ପାଏ ସେ ମାନ୍ୟ।
