ପରୋପକାର
ପରୋପକାର
ମାନବ ଜୀବନ ସାର୍ଥକ ହୁଏନା
ପର ଉପକାର ବିନା
କି ଲାଭ ସେଇ ଜୀବନରେ ଅବା
ନାହିଁ ଯଦି ଦୟା କ୍ଷମା l
ଦୁଃଖୀ ଜନଙ୍କର ଦୁଃଖ ଦେଖି ଯିଏ
ଆହା ପଦେ କହେ ନାହିଁ
ସେପରି ମଣିଷ ଜନମଟି ଧିକ୍
ସଂସାର ଭିତରେ ରହି ll
ପ୍ରକୃତିର ପ୍ରତି କୋଣେ କୋଣେ ଦେଖ
ପର ଉପକାର ଗୁଣ
ନଦୀ ବୃକ୍ଷ ଆଉ ସୂରୁଜ ପବନ
କରନ୍ତି କେତେଯେ ଦାନ ll
ଦଧୀଚି ନିଜର ଅସ୍ଥି ଦାନ କଲେ
ଦେବତାମାନଙ୍କ ପାଇଁ
ରାଜା ଶିବି ନିଜ ଅଙ୍ଗଦାନ କରି
କପୋତ ଥିଲେ ବଞ୍ଚାଇ l
ଗୋପବନ୍ଧୁ ଥିଲେ ଦୁଃଖିଙ୍କର ବନ୍ଧୁ
ବନ୍ୟା ପ୍ରପୀଡ଼ିତ ବେଳେ
ନିଜ ଜୀବନକୁ ବିପଦେ ପକାଇ
ସାହାଯ୍ୟ ସେ କରୁଥିଲେ l
ଦୁଃଖିଙ୍କର ଦୁଃଖ ସ୍ୱଚକ୍ଷୁରେ ଦେଖି
କାନ୍ଦୁଥିଲେ କଇଁ କଇଁ
ନିଜ ପୁଅକୁ ବି ରୋଗ ଶେଯେ ଛାଡି
ଯାଇଥିଲେ ସିଏ ଧାଇଁ ll
ପ୍ରତି ହୃଦୟରେ ଦେବତାଙ୍କ ବାସ
ବୁଝିଅଛି ଯେଉଁ ଜନ
ପରର ଦୁଃଖରେ କେମିତି ନୀରବେ
କାଟିବା ପାରିବ ଦିନ l
ପରଉପକାର ସ୍ୱର୍ଗୀୟ ଗୁଣଟି
ନରକୁ ଦେବତା କରେ
ମରି ଯାଇ ସୁଦ୍ଧା ଅମର ସେ ରହେ
ସଭିଙ୍କର ହୃଦୟରେ ll
ନିଜ ସ୍ୱାର୍ଥ ପାଇଁ କର୍ମ କରିଗଲେ
ମିଳେନାହିଁ ପଉରୁଷ
ଅନ୍ୟର ଆଖିରୁ ଲୁହ ପୋଛିଦେଲେ
ମିଳିଥାଏ ସିନା ଯଶ ll
ମଣିଷ ଜୀବନ ଅଢେଇ ଦିନିଆଁ
ଆୟୁଷ ପ୍ରଭୁ ଅଧୀନ
ପରଉପକାର କରିଯାଇଥିଲେ
ମୁକ୍ତି କାମୀ ହେବ ପ୍ରାଣ ll
