ପ୍ରଣୟିନୀ
ପ୍ରଣୟିନୀ
ନାରୀ ଅଟେ ପ୍ରଣୟିନୀ ପ୍ରୀତି ମଧୁ ଝରା
ଝରେ ସ୍ବପ୍ନମୟୀ କରେ ଜୀବନ ଯାତରା ।
ଯାହାର ସେବା ଯତନ ଲଭି ବଡ ହୋଇ
ହୋଇଥାନ୍ତି ସର୍ବେ ଶିଶୁ କାଳୁ ସ୍ନେହ ପାଇ ।
ପାଇଥାନ୍ତି ସ୍ନେହ ଶ୍ରଦ୍ଧା ପ୍ରେମ ପ୍ରୀତି ପୂର୍ଣ୍ଣ
ପୂର୍ଣ୍ଣ ହୁଏ ନାରୀପାଇଁ ଆକାଂକ୍ଷା ସପନ ।
ସପନ ନାୟିକା ଭାବେ ଅଭିନୟ ଲୀଳା
ଲାଳିତ୍ୟ , ଲାବଣ୍ୟ ମେଲି ରୂପର ପସରା ।
ପ୍ରସାରି ସେ ଉଭାହୁଏ ପ୍ରଣୟିନୀ ସାଜି
ସଜାଇ ଦିଏ ଜୀବନ ରଙ୍ଗ ରସେ ମଜ୍ଜି ।
ମଜା,ଖୁସି,ହସ,ରସ ସ୍ନିଗ୍ଧ ଧାରା ବୁଣେ
ବର୍ଣ୍ଣାଢ଼୍ୟ ପ୍ରଣୟ ବାଢ଼ି ବିଚିତ୍ର ବରଣେ ।
ବରଣୀୟା ହୋଇଥାଏ ନାରୀ ପୁରୁଷର
ରସମୟୀ ତାହା ଲାଗି ଅଭୁଲା ପ୍ରେମର ।
ମରଣ ପର୍ଯ୍ୟନ୍ତ ରହେ ପ୍ରେମ ଅନୁଭବ
ଭବ ଅଭିନୟ ଲୀଳା ତା'ର ପ୍ରେମ ଭାବ ।
ଭାବନା ଓ ଉନ୍ମାଦନା ଘେନିଥାଏ ଚଳି
ଚଳାଇ ନିଏ ସେ ଚିରକାଳ କଳା ଧରି ।
ଧରି ରଖେ ବାରମ୍ବାର ସାଜି ସୃଜୟିତ୍ରୀ
ସ୍ତ୍ରୀ ସାଜି ପ୍ରଣୟିନୀ ଭାବେ ସହଯାତ୍ରୀ ।
ଯାତ୍ରା ପଥେ ବ୍ୟବହାର ଜୀବନ ଯାତ୍ରାରେ
ତାର ପ୍ରେମ ଶ୍ରଦ୍ଧା , ଅନୁରାଗ ପ୍ରବାହରେ ।
ହରେ ଦୁଃଖ ଶୋକ ଫୁଟେ ପରାଣ ପ୍ରାଚୁର୍ଯ୍ୟ
ପ୍ରଚାରଇ ପ୍ରତି ପ୍ରାଣେ ପ୍ରଣୟ ମାଧୁର୍ଯ୍ୟ ।

