STORYMIRROR

Yudhisthira Lenka

Inspirational

4  

Yudhisthira Lenka

Inspirational

ପରଂବ୍ରହ୍ମଙ୍କୁ ଜଣାଣ

ପରଂବ୍ରହ୍ମଙ୍କୁ ଜଣାଣ

1 min
438

ଅଲେଖ ପରଂବ୍ରହ୍ମଙ୍କୁ କରୁଛି ଜଣାଣ

ଅରୂପାନନ୍ଦ ହେ ପ୍ରଭୁ ଘେନ ନିବେଦନ

ଅନ୍ତର୍ଯ୍ୟାମୀ ନାଥ ମୋର

ଅଶେଷ ଜୀବର ତୁମ୍ଭେ ଅଟ ହେ ଠାକୁର ।।୧।।


ଅନାମ ଅଚିନ୍ତ୍ୟ ପ୍ରଭୁ ଅନାଦି ଶ୍ରୀଗୁରୁ

ଅବ୍ୟୟ ଅଚ୍ୟୁତ ଆସି ଅବନା ମନ୍ଦିରୁ

ଅବ୍ୟକତ କୃପାସିନ୍ଧୁ

ଅଭୟ ପାଦରେ ମୋତେ ତାର ଭବସିନ୍ଧୁ ।।୨।।


ଅଖଣ୍ଡ ଅଲେଖବ୍ରହ୍ମ ମହିମା ସାଗର

ଅନ୍ତ ନ ପାଆନ୍ତି ଯାର ଚନ୍ଦ୍ର ଓ ଭାସ୍କର

ଅଗତିର ତୁମେ ଗତି

ଅନିତ୍ୟକୁ ଛାଡି ରହୁ ତୁମ ପାଦେ ମତି ।।୩।।


ଅତି ଅନୁନୟେ ପ୍ରଭୁ କରୁଛି ଭଜନ

ଅନୁକ୍ଷଣ ରହିଥାଉ ତୁମପାଦେ ମନ

ଅନ୍ୟେ ନାହିଁ ମୋ ଭାବନା

ଅଦ୍ୱିତୀୟ ପରଂବ୍ରହ୍ମ ସଦା ମୋ କାମନା ।।୪।।


ଅକ୍ଷୟ ଅନନ୍ତ ତୁମ୍ଭେ ପ୍ରଭୁ ଚିଦାନନ୍ଦ

ଅସମୟେ ଡାକୁଅଛି ଆହେ ପୂର୍ଣ୍ଣାନନ୍ଦ

ଅଭୟପାଦେ ଶରଣ

ଅଶେଷ ଜୀବର ତୁମ୍ଭେ ଅଟ ଯେ କାରଣ ।।୫।।


ଅତ୍ୟନ୍ତ କାକୁସ୍ଥଭରେ କରେ ପ୍ରଣିପାତ

ଅହର୍ନିଶି ଡାକୁଅଛି ତୁମେ ତାତମାତ

ଅଟ ଭକ୍ତ ଭାବଗ୍ରାହୀ

ଅନିର୍ଦ୍ଦେଶ ପୂର୍ଣ୍ଣାନନ୍ଦ ବାରେ କର ତ୍ରାହି ।।୬।।


ଅସତ୍ୟ ମାର୍ଗରୁ ନିଅ ସତ୍ୟ ମାର୍ଗରେ

ଅନ୍ଧକାରରୁ ଉଦ୍ଧାର କର ସନ୍ମାର୍ଗରେ

ଅନୁସରଣ ମୋହର

ଅତିକାତର ଚିତ୍ତରେ ଜଣାଏ ପୟର ।।୭।।


ଅନ୍ୟେ ନାହିଁ ଆଶ ଦିଅ ସାଧୁସଙ୍ଗ ବାସ

ଅଜ୍ଞାନ ମୁଁ ପାନ କରିବାକୁ ହରିରସ

ଅଜ୍ଞାନ ମୋହେ ଥାଇଣ

ଅନନ୍ତ ପୁରୁଷ ମୋର ମନ କଥା ଜାଣ ।।୮।।


ଅବିନାଶୀ ପରଂବ୍ରହ୍ମ ପ୍ରାଣର ଆଶ୍ରୟ

ଅଖିଳ ଈଶ୍ୱର ନିରାଭାସ ନିରାମୟ

ଅଣାକାର ହେ ପୁରୁଷ

ଅନେକ ଜନ୍ମର ପାପ ତାପ ମୋର ନାଶ ।।୯।।


ଅନୁରତେ ତୁମ ପାଶେ ସଦା ରହୁ ମନ

ଅନ୍ୟାନ୍ୟ ବିଭ୍ରମ ଚିତ୍ତ କରନ୍ତୁ ମୋଚନ

ଅଲେଖ ମହିମା ନାମ

ଅବିରତ ଜପି ପ୍ରାଣ ଚାଲିଯାଉ ମମ ।।୧୦।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational