ପରଂବ୍ରହ୍ମ
ପରଂବ୍ରହ୍ମ
ଷଡ଼ ଋତୁ ମଧ୍ୟେ ତୁମେ ବସନ୍ତ ମଳୟ
ତୁମେ ମୋ ଭକ୍ତିର ଆଳୟ ।
ତୁମ ସରଜନା ଅଟେ ଅତୀବ ସୁନ୍ଦର
ସେ ସୁନ୍ଦର କି ବର୍ଣ୍ଣିବି ନାହିଁ ପଟ୍ଟାନ୍ତର ।
ହୃଦ ମନ୍ଦିରେ ତୁମକୁ ସଜାଇ ରଖିଛି
ଦେଇ କସ୍ତୁରୀ,ଚନ୍ଦନ ମୁଁ ଛଡ଼ା ତୁଳସୀ ।
ସେ ତୁଳସୀ ନାଇ ତୁମେ ପ୍ରୀତ ହୋଇ ଥାଅ
ମହାବାହୁ ବଳିଆର ନାମ ବହିଥାଅ ।
ଜଗତକଲ୍ୟାଣକାରୀ ତୁମେ ଜଗତକରତା
ଯୁଗେ ଯୁଗେ ବାଜୁଥାଉ ତୁମ ଗୁଣ ଗାଥା ।
ଦୁଃଖୀ ଜନ ଭାବନାରେ ତୁମେ ଆସୁଥାଅ
ନୀଳକନ୍ଦରରେ ବସି ଦୁଃଖ ଶୁଣୁଥାଅ ।
ହେ ସୃଷ୍ଟି ପାଳକ ତୁମେ ଆହେ ଚକ୍ରଧାରୀ
ସୃଷ୍ଟି ପାଳି ଧର୍ମ ରଖି ହେ ବିଶ୍ୱ ବିହାରୀ ।
ହେ ମୋହନ ବଂଶୀଧାରୀ ତୁମେ ମୋହନିଆ
ସଦା କାଳ ଥାଉ ତୁମ ସାଥେ ମୋର ଭାବ ଦିଆନିଆ ।
ତୁମେ ତ ଅସୀମ ତୁମେ ତ ପ୍ରାଣର ପ୍ରତିମ
ତୁମେ ବିଷ୍ଣୁ ତୁମେ ଶିବ ତୁମେ ପରଂବ୍ରହ୍ମ ।
