STORYMIRROR

Ajaya Mahala

Romance Others

4  

Ajaya Mahala

Romance Others

ପ୍ରମିଶ କର ଆଜି ବୁଝେଇ ଦେବନି

ପ୍ରମିଶ କର ଆଜି ବୁଝେଇ ଦେବନି

2 mins
194


ସବୁଥର ବୁଝେଇ ଦେଇ 

ବସେଇ ଦିଅ 

ଯେମିତି ଫୁଲ ଶାଗୁଣା 

କ୍ଷୁଧାରେ ଡେଣା ଫଡ ଫଡ କରୁଥିବା 

ଶାବକ ମାନଙ୍କୁ 

ଥରେ କେଉଁ କାହାଣୀରେ 

ବୁଝେଇ ଦେଇଥିଲା

"ଆଉ ଗୋଟେ ଦିନ ଥୟ ଧର

ତା ପରେ ଶହେ ମୁଣ୍ଡ କାଟ ହେବ

ଖାଇବାକୁ ମିଳିବ 

ପରିପୂର୍ଣ୍ଣ ଭୋଜନ 

ଅପର୍ଯ୍ୟାପ୍ତ ନରମାଂସ " ।


ଇନ୍ଦ୍ରଧନୁର ମୋହ ଦେଖାଇ

ଆକାଶର ନୀଳିମାକୁ ଭୁଲିବାକୁ କୁହ

ଭବିଷ୍ୟତର ସ୍ୱପ୍ନରେ 

ଡହ ଡ଼ହ ବର୍ତ୍ତମାନକୁ  

ହାତରୁ ଖସିବାକୁ ଦିଅ ତୁମେ 

ତୁମ ଜଲଦି ଯିବାରେ

ତୁମ ଡେରିରେ ଫେରିବାର

କାରଣ ପଚାରେନା

ଜାଣିଛି, ସେ ସବୁର ଜବାଵଟେ 

ସବୁବେଳେ ତୁମ ପାଶେ ଥାଏ ।


ତୁମେ ବୁଝେଇ ଦିଅ 

ଜନ୍ମଦିନ ମିଥ୍ୟା 

ଜୀବନ ଶାଶ୍ୱତ 

ଏଠି ପ୍ରତିଦିନ ହୁଏ ଜନ୍ମଦିନ

ଏଠି ଜନ୍ମ ମୃତ୍ୟୁ

ଜୈବ ଦୁର୍ଘଟଣା ମାତ୍ର

ଏଠି ମଧୁଚନ୍ଦ୍ରିକା ବି ମିଛ 

ଏଠି ପ୍ରେମ ଅସ୍ଥାୟୀ

ମୂହୁର୍ତ୍ତକର ଗୋଟେ ଉଦବେଳନ ।



ମେଘରେ ଭିଜିବାକୁ ମନାକର

ଦେହ କଥା ଚିନ୍ତା କରି

ହୋଲିର ରଙ୍ଗକୁ ତୁମେ 

ହାନିକାରୀ କହି 

ଉନ୍ମତ୍ତ ହେବାକୁ ରୋକିଛ ମତେ

ବର୍ଷ ବର୍ଷ ଅନେକ ବର୍ଷ

ଦିବାଲି ବାଣରେ 

ତୁମକୁ ଟଙ୍କାରେ 

ନିଆଁ ଲଗାଇବା ଦିଶେ

ମୋ ସୁନା ଗହଣା, 

ମୋଟା ହାର

ତୁମକୁ ମୋ ଆତ୍ମଗର୍ବର ଚିହ୍ନ ଲାଗେ

ଚାକଚକ୍ୟ ଉପହାର ବଦଳରେ 

ଚୁମ୍ବନଟେ ଦେଇଦିଅ

ମୁଁ ମାନବୀ ହେବାକୁ ଚାହେଁ 

ମୋତେ ସନ୍ନ୍ୟାସିନୀ କରିଦିଅ ।


ଦୂରକୁ ଛାଡ଼ ନାହିଁ ମତେ

ଜାଣେନା କଅଣ ପାଇଁ

ତୁମେ ବୁଝେଇଦିଅ 

ପିକନିକ ଜାଗା ଯେତେ 

ସବୁ ଗୁଣ୍ଡାଙ୍କର ଆଡ୍ଡା

ସେପଟ ଗୋଲାର୍ଦ୍ଧକୁ ଯାଇ

ନୂଆ କଅଣ ଦେଖିବା ଯେ

ତୁମ ପାଇଁ ଦୁନିଆଁର ସବୁ ଜାଗା 

ଗୋଟେ ଗୋଟେ ଦର୍ଶନୀୟ ସ୍ଥଳ ।


ତୁମେ ବୁଝେଇ ଦିଅ

ଆଜି ବେଶୀ କାମ ଥିଲା

କାଲି ମନ୍ତ୍ରୀ ଆସି ଥିଲେ 

ଆଜି ସହରରେ ଗଣ୍ଡଗୋଳ ଅଛି

ଆଜି ପିଲା ଘରେ ଅଛନ୍ତି ତ

କାଲି କୁଣିଆ ଆସିବେ

ଆଜି ବହୁ ଦିନ ପରେ 

ସତରେ ମୋ କଥା 

କେତେ ଭାବୁଥିଲ ।


ଆଜି କାହିଁ ତୁମେ

ମୋର ଭାରି ମନେ ପଡ଼ 

ପ୍ଲିଜ ଆଜି ବୁଝେଇଦେବନି ମତେ

କିଛି ଗୋଟେ କହି

ଆଜି ଖସି ଯିବନି ମୋ ହାତମୁଠାରୁ 

ଆଖିଲୁହର ଯମୁନା

ଉଜାଣି ବହିବା ଯାଏଁ

ଆଜି ଅତୀତର ଛାଇଙ୍କୁ କହିବ

ଆମଠୁଁ ଦୂରେଇ ଠିଆ ହେବେ

ବାହାନା ମାନେ ଆସି ଯେବେ 

କାନରେ ଫୁସୁଲେଇବେ 

ସେମାନଙ୍କୁ " ମୁଁ ଦୁଃଖିତ" କହି 

ଫେରାଇ ଦେବ ଗାଳି ଦେଇ

ମିଳନ ବିଚ୍ଛେଦ 

ମୁଦ୍ରାର ଦୁଇ ପାର୍ଶ୍ଵ କହି

ମିଳନକୁ ଆଜି 

ପ୍ଲିଜ଼ ହରାଇ ଦେବନି ।



ତୁମର ସବୁ 

ବୁଝେଇ ପାରିବାର ଯେତେ କଳା

ସମ୍ଭାଳି ରଖିଥିବ 

ସେହି ଗୋଟିଏ ନିର୍ଣ୍ଣାୟକ ଦିନ ପାଇଁ

ଯେଉଁଦିନ ମୁଁ ହଜି ଯିବି

ତେବେ ଲୁହ ନ ଝରାଇ 

ନିଜକୁ ବି ପ୍ଲିଜ଼ ବୁଝେଇଦେବ 

ଦୁନିଆଁରେ ଏମିତି 

ଆସିବା ଯିବା ଲାଗିଥାଏ ବୋଲି

ବୁଝେଇ ନ ପାରିଲେ 

ଦିନଟି ଚୁନା ହୋଇ ହୋଇଯିବ 

ଅନେକ ଛୋଟ ଛୋଟ ମୂହୁର୍ତ୍ତରେ

ଯେଉଁ ଗୁଡାକ ସବୁବେଳେ ତୁମକୁ

ଘେରି ଯାଇ 

ମିଛଟାରେ ବହୁତ ହଇରାଣ କରିବେ 

ମୋ ଧନ !

ମୁଁ ନ ଥିବି ରୋକିବାକୁ 

ଯେତେବେଳେ ସେମାନେ

ଇଏ କିଏ ଥିଲା ବୋଲି କହି

ମୋ ବିଷୟରେ ତୁମକୁ

ଅବାଂଛିତ ପ୍ରଶ୍ନ କରୁଥିବେ ।


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance