ପ୍ରମାଦ
ପ୍ରମାଦ
ବୁଦ୍ଧି ବିଚାରରେ କରମ
ଯିଏ କରେ ସାଧନ
ତା'ଠାରେ କେବେ ବି ପ୍ରମାଦ
ଦେଖା ନ ଯାଏ ଜାଣ ।
ଅସାବଧାନତା ବରିଲେ
ଭୋଗଇ ପରିଣାମ
ଚିତ୍ତ ସନ୍ତୁଳନ ରଖିବା
ପରା ଚେତନ କାମ ।
ପ୍ରମତ୍ତତା ଭାବ ପ୍ରକାଶି
ସିନା ପ୍ରଗଳ୍ଭା କନ୍ୟା
ନାମ ଲେଖାଇ ପ୍ରମାଦିକା
ହୁଏ ଦୂଷିତା ଗଣ୍ୟା ।
ମନ ଉପଦ୍ରବ ଉପେକ୍ଷି
ରହି ସାଧୁ ସଙ୍ଗତ
ଯୋଗ ସାଧେ ଯିଏ କରମେ
ଜ୍ଞାନୀ ଗୁଣୀରେ ଖ୍ୟାତ ।
ପ୍ରମାଦ ଡାକିବା ଜୀବନେ
ବାତୁଳତା ପଣିଆ
ସେଥିପାଇଁ ଦୁଃଖ ବରଣ
କରେ କେହି ଦୁନିଆ ।
ପ୍ରମାଦ ଶୂନ୍ୟଟି କେବଳ
ପାଏ ଅନେକ ସୁଖ
ଖୁସିର ଶିରିପା ବାନ୍ଧି ସେ
ଦେଖେ ନବ ଆଲୋକ ।
ବିପଦ ଆଡ଼େଇ ପଥରୁ
ନିଏ ଗନ୍ତବ୍ୟ ସ୍ଥାନେ
ଅଭୀପ୍ସା ପୂରଣ ହୁଅଇ
ଯେତେ ଇଚ୍ଛେ ଜୀବନେ ।
ପ୍ରମାଦ-ଭ୍ରମକୁ କୋଳେଇ
ନହୋଇ କେ ଭ୍ରମିତ
ବିଭୁ ନାମ ସ୍ମରି ତୁଣ୍ଡରେ
କର କାଳାତିପାତ ।
