Pranati Panda

Inspirational

4.0  

Pranati Panda

Inspirational

ପରମ ଦୟାଳୁ ମୋ ପ୍ରଭୁ

ପରମ ଦୟାଳୁ ମୋ ପ୍ରଭୁ

1 min
194


ପ୍ରଭୁ ତୁମ ଲୀଳା ସବୁଠାରେ ଅଛି

   ସର୍ଵ ମୁଖେ ପ୍ରଭୁ ଲୋକେ କୁହନ୍ତି ,

ଅନୁଭୂତି ସବୁ ପଢ଼ି ଭାବେ ମୁହିଁ

   କେଡ଼େ କେଡ଼େ ଭକ୍ତ ପ୍ରଭୁ ଅଛନ୍ତି ।


ନୁହେଁ ମୁଁ ଭକତ ପ୍ରଭୁ ଜଗନ୍ନାଥ

    କେବଳ ଶୁଣେ ତୁମ କଥାମୃତ ,

ଆଡ଼ପ ମଣ୍ଡପ ଦର୍ଶନ କରିଲେ

    ସହସ୍ର ଦର୍ଶନ ପୁଣ୍ୟ ମିଳେତ ।


ଆଡ଼ପ ମଣ୍ଡପେ ଭୋଗ ଲାଗି ହେବା

     ଅବଢ଼ା ଅନ୍ନକୁ ପାଇବା ପାଇଁ ,

ଲକ୍ଷ, ଲକ୍ଷ ଜନ ଭିଡ଼ ହୋଇଥାଏ

     ଭାଗ୍ୟରେ ଥିଲେ ମିଳଇ ଗୋସାଇଁ ।


ଦାରୁବ୍ରହ୍ମ ପ୍ରଭୁ ଅନ୍ତର୍ଯ୍ୟାମୀ ନାଥ

     ଅନ୍ତର କଥାକୁ ଶୁଣି ପାରନ୍ତି,

ପରମ ଦୟାଳୁ ପରମବ୍ରହ୍ମ ସେ

     ହୃଦୟ ଇଚ୍ଛାକୁ ପୂର୍ଣ୍ଣ କରନ୍ତି ।


ଜଣାଇଲି ପ୍ରଭୁ ହୃଦୟର କଥା

     ତୁମରି ଆଗରେ ଗୁହାରି କରି ,

ଅଧା ଜନ୍ମ ପ୍ରଭୁ ବିତିଗଲା ମୋର

     ଆଡ଼ପ ଅବଢ଼ା ପାଇନି ହରି ।


ପୁରୀ ରଥଯାତ୍ରା ଦେଖିନାହିଁ କେବେ

    ଦେଖିବି କି ନାହିଁ ତାହା ଜାଣିନି ,

ତୁମ କୃପା ପ୍ରଭୁ ନ ହୋଇଲେ କେବେ

    ଇଛା କରିଲେବି ହୋଇ ପାରେନି ।


ବିପରୀତ ଏବେ ପରିସ୍ଥିତି ସବୁ

     ଦର୍ଶନ ନିମନ୍ତେ ମନା ହୋଇଛି ,

ତୁମ ଲୀଳା ପ୍ରଭୁ ତୁମକୁ ହିଁ ଜଣା

     ତୁମଠୁଁ ଅଧିକା କିଏ ଜାଣିଛି ।


ଦରଶନ ପଛେ ନଦେଲ ହେ ପ୍ରଭୁ

     ଆଡ଼ପ ପ୍ରସାଦ ପାଇବା ପାଇଁ ,

ଦୁଃଖିନୀଟିଏ ମୁଁ ଜଣାଇଲି ଦୁଃଖ

     ତୁମରି ଆଗରେ ଗୁହାରି ହୋଇ ।


ବିଶ୍ଵାସ ପ୍ରଭୁ ମୁଁ କରି ପାରୁ ନାହିଁ

    ଦୟାଳୁ ଠାକୁର ଜଗତ ସାଇଁ ,

ପଠାଇ ଦେଲତ ଅବଢ଼ା ପ୍ରସାଦ

    ଘରେ ବସି ପ୍ରଭୁ ପାଇଲି ମୁହିଁ ।


ମନ ଜାଣି ପ୍ରଭୁ ଯାଚି ଦିଅ ତୁମେ

    ଶୁଣିଥିଲି ଏହି କାନରେ ମୋର ,

ଅନୁଭବ ଆଜି କରିଲି ପ୍ରଭୁ ହେ

    ଅନ୍ତର୍ଯ୍ୟାମୀ ନାଥ ବଡ଼ ଠାକୁର ।


ଆନନ୍ଦ ଅଶ୍ରୁ ମୋ ହୃଦୟ କନ୍ଦରେ

     କୋଟି ପ୍ରଣିପାତ ଗ୍ରହଣ କର ,

ଦାସନୁଦାସୀ ମୁଁ ଜନ୍ମ ଜନ୍ମାନ୍ତରେ

     ପ୍ରଭୁ ଶ୍ରୀ ଚରଣେ ଶରଣ ମୋର ।


     



Rate this content
Log in

Similar oriya poem from Inspirational