ପ୍ରିୟତମା
ପ୍ରିୟତମା
ତୁମେ ମୋର ପ୍ରିୟତମା
ତୁମେ ମୋର ସ୍ମୃତି
ତୁମେ ମୋ ଚାନ୍ଦିନୀ ରାତି
ଜ୍ୟୋତ୍ସ୍ନା ଭିଜା ତାତି ।
ଏ ଆଖିର ଯେତେ ସ୍ୱପ୍ନ
ଶୟନେ ଜାଗ୍ରତେ
ତୁମେ ବାସ୍ନାୟୀତ କର
ଆସି ଅବିରତେ ।
ତୁମକୁ ପାଇଛି ମୁହିଁ
ନିଝୁମ ଶ୍ରାବଣେ
କେବେ ପୁଣି ବେଳାଭୂମି
ବୀଚିର ପ୍ରାଙ୍ଗଣେ ।
ନଳିନୀ ମୁକୁରେ ତୁମ
ଆନନ ଝଲସେ
ଶିଥିଳ ହୃଦୟ ମୋର
ନାଚଇ ଉଲ୍ଲାସେ ।
ତୁମ ସ୍ପର୍ଶ ଅନୁଭବ
ସରଗ ସମାନ
ଅମୃତ ସଦୃଶ ତୁମ
ମଧୁର ଚୁମ୍ବନ ।
ସାତ ସୁର ଗୀତି ମୋର
ବୁକେ ଦେଲ ଲେଖି
ଅଳସୀ ସନ୍ଧ୍ୟାରେ ତୁମେ
ଆସି ଚନ୍ଦ୍ରମୁଖୀ ।
ତୁମ ବିନା ଜୀବନଟା
ଶୁନ୍ୟ ହାହାକାର
ତୁମେ ମୋର ନିଶୀଗନ୍ଧା
ତୁମେ ଚନ୍ଦ୍ରହାର ।
ଶାମୁକା ଭିତର ମୁକ୍ତା
ତୁମ ନେତ୍ର ଦୁଇ
ସେ ସାଗରେ ନିତି ମୁହିଁ
ପ୍ରୀତିରେ ଭାସଇ ।
ଡେଣା ମେଲି ଉଡି ଯିବା
ଅଜଣା ରାଇଜେ
ଯେମିତି ଇଚ୍ଛା କରିବା
ଠିକଣାଟି ହଜେ ।