STORYMIRROR

Bauribandhu Lenka

Classics

3  

Bauribandhu Lenka

Classics

ପ୍ରିୟା

ପ୍ରିୟା

1 min
449


ଚତୁର୍ଦିଗ  ମୋତେ ଦିଶେ  ପ୍ରେମମୟ

    ତା ମଧ୍ୟେ ତୁମର ଛବି

ଆଖି ବୁଜିଦେଲେ  ଅନ୍ତର୍ମନେ ଦେଖେ

    ରହିଅଛ ତୁମେ ଦ୍ରବି


ତୁମେ ମୋ ହାସରେ ତୁମେ ମୋ ଭାଷରେ 

     ତୁମେ ମୋର ସର୍ବାଙ୍ଗରେ

ରଙ୍ଗାଇ  ଦେଇଛ  ସର୍ବାଙ୍ଗକୁ  ମୋର

    ପ୍ରକୀର୍ଣ୍ଣ ପ୍ରେମ ରଙ୍ଗରେ


ତୁମେ ନିଶ୍ୱାସରେ ତୁମେ ପ୍ରଶ୍ୱାସରେ

     ପ୍ରୀତିର ସୁଗନ୍ଧ ହୋଇ

ମହକାଉ  ଅଛ ମୋ ମନ ଅଙ୍ଗନ

     ନିରନ୍ତର ପାଶେ ରହି


କହି ତ ନଥିଲି     ମିଠା କଥା କେବେ

      ମୋହିବାକୁ ତୁମ ମନ

ନଥିଲା ସେଭଳି      ଧନ ଦଉଲତ

      ଅବା ମୋର ବଡପଣ


କାହିଁକି କିପରି        କଅଣ ଏପରି

      ଟାଣିନେଲା ତୁମ ମନ

ବାଛିନେଲ ସାଥୀ    ରୂପେ ଜୀବନର

     ମୋତେ ତୁମେ ଚିରଦିନ


ନଥିଲା ସୁନ୍ଦର       ରୂପ ଯଉବନ

      ଆକର୍ଷିବା ପାଇଁ ମନ

କି ଗୁଣେ ମୋହିତ    ହୋଇ ଆକର୍ଷିତ

     ହେଲ ଜାଣିବା କଠିନ


ତୁମେ କି ଜାଣିଛ  ପ୍ରିୟେ ମୋର ସେହି

     ଦୁଃଖ ବେଦନାର ଦିନ

ମାଟିକାନ୍ଥ ଘେରା     ଘର ଥିଲା ସିନା

     ନଥିଲା ଚାଳ ମଥାନ


ବେଦନା ଭରା ସେ  ଜୀବନେ ମୋହର

     ଆସିନି ବସନ୍ତ କେବେ

ଝଡିଯାଇଥିବା      ପତ୍ର ସବୁ ମୋର

    କଅଁଳି ବି ନାହିଁ ଏବେ


ତୁମକୁ ପାଇ ମୁଁ      ସବୁ ପାଇଗଲି

    ପାଇଲି ଜୀବନେ ଆଶା

ମଉଳା ସପନ      ପାଇଲେ ଜୀବନ

   ମନେ ମୋ ପ୍ରୀତିର ଭାଷା


କଣ୍ଠରୁ ତୁମର       ଝରିଲା ଷଡଜ

    ଆଦି ଯେତେ ସପ୍ତ ସ୍ୱର

କେତେବେଳେ ତୀବ୍ର ଅବା ସେ କୋମଳ

    ମୋହିଲା ମନ ମୋହର


ଗାଇଗଲ କେତେ    ପ୍ରୀତିର ରାଗିଣୀ

    ହସି ଉଠିଲା ସଂସାର

ତମେ କଲେ ରୋଷ   ହେବ ସର୍ବନାଶ

    ଜୀବନ ହେବ ଅସାର


ତୁମେ ସଙ୍ଗେ ଥିଲେ   ସଞ୍ଜ ବା ସକାଳ

    ସବୁ ମୋ ପାଇଁ ସମାନ

ଆକାଶରେ ଏକ     ସଙ୍ଗେ ରହିଥିବେ

    ସୂର୍ଯ୍ୟ ତାରା ଆଉ ଜହ୍ନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics