ପ୍ରୀତିଶା
ପ୍ରୀତିଶା
ମୁଁ ଭଲପାଏ ରାତିକୁ !
ତା' ସମବେଦନାରେ ଭରିରହିଥିବା ସମୟକୁ !
ନିଶୂନ ,ନିରବ ରାତିର ଛାତିରେ ବିତିଥିବା
ପ୍ରତିଟି ଅନ୍ତରଙ୍ଗ ମୂହୁର୍ତ୍ତକୁ !
ରାତି ଯେତେ ଯେତେ ବଢୁଥାଏ !
ମୋ ଭିତରର ତଲ୍ଲୀନତା ସେତେବେଶୀ ଗାଢ଼ହୁଏ
ମୋ ସୃଜନୀଶକ୍ତିକୁ ଆପଣାପଣେ ଆବୋରିନିଏ !
କେବେ ଆକାଶ ଭର୍ତ୍ତି ତାରାଙ୍କୁ ନିରେଖେ !
ପୁଣି କେବେ ଜହ୍ନ ସହ କଥା ଯୋଡ଼ି ନିଜକୁ ପରଖେ !
କେବେ ଗଙ୍ଗଶିଉଳିର ବାସ୍ନାରେ ଚହଟେ
କେବେ ସ୍ମୃତି ସିନ୍ଦୁକରୁ ଅତୀତ ସାଉଁଟେ
ରାତିର ଗାଢ଼ ଅନ୍ଧକାରେ
କବିତା ମାଗେ ଦର୍ପଣଟେ ଦେଖିବାକୁ ମୁହଁ !
କେତେ ଅଳି,ଅର୍ଦ୍ଦଳୀ ,ପ୍ରେମ ପାର୍ବଣରେ
ସଜେଇହୁଏ , ତା ' ଝିଲିମିଲି କାକରର ଦେହ
କହିଦିଏ ଚୁପିଚୁପି , ମୋ ପାଖରେ ଛପିଛପି
ମୁଁ - ହିଁ ତୋ ଅନାବନା ସ୍ବପ୍ନ ,
ତୋ ଆନମନା ସ୍ମୃତି
ମୁଁ - ହିଁ ତୋ କଇଁଫୁଲ ଜହ୍ନରାତି,
ତୋ ଅଭୁଲା ପ୍ରୀତି
ତୋ ଭୁଲିଯାଇଥିବା ଶବ୍ଦ
ତୋ ଭୁଲିଯାଇଥିବା ପଦ
, ତୋ ଭୁଲିଯାଇଥିବା ଆଶା
ତୋ ଭୁଲିଯାଇଥିବା ନିଶା
ତେବେ , ଆଉ ଡେରି କାହିଁକି ?
ତୋ ପରୀରାଇଜର କାହାଣୀକୁ ନେଇ
ଆଜି ଠୁଁ ମୋ ନାଁ ରଖିଦେ !