ପ୍ରୀତିର ମହକ
ପ୍ରୀତିର ମହକ


ଫଗୁଣର ଛୁଆଁ ଛାତିତଳ ନିଆଁ
ରାତିର ରଙ୍ଗୀନ ଆଖି
ମୁରୁକି ମୁରୁକି ହସୁଥିଲ ସଖୀ
ଦ୍ୱିତୀୟା ଜହ୍ନକୁ ଦେଖି I
ବସନ୍ତର ତୁମେ ବାସନ୍ତୀ ସୁଷମା
ମଳୟର ଅନୁରାଗ
ହୃଦୟତଳେ ମୋ ପ୍ରଣୟ ବିଭୋର
ଦ୍ୱିତୀୟା ଜହ୍ନର ଦାଗ I
ମଧୁର ମଧୁର ଶୀତଳ ଚାନ୍ଦିନୀ
ତୁମରି ସ୍ପର୍ଶର ଯାଦୁ
ସବୁଠୁ ମଧୁର ଲାଗେ ମୋତେ ସଖୀ
ତୁମରି ଓଠର ମଧୁ I
ଅପାଶୋରା ତୁମ ଦେହର ମହକ
ରଜନୀଗନ୍ଧାର ପ୍ରୀତି
ତୁମପାଇଁ ସଖୀ ସପନ ଦେଖୁଛି
ମହକି ଉଠୁଛି ରାତି I