ପରିଚୟ
ପରିଚୟ
ଜୀବନରେ ଯେବେ ଆସିଲୁ କବିତା
ଖୁସି ହେଲି ମୁଁ ବେଶୀ
ଟିକି ନିଖି ଯାହା ଭୁଲ ମୋର ହେଲା
କବିତା ହେଲୁ ତୁ ଦୋଷୀ
କ୍ଷୀର ଉତୁରିଲା ଚା ପୋଡ଼ିଗଲା
ଚାଲୁଚାଲୁ ଝୁଣ୍ଟେ ବେଶୀ
କବିତା ପାଇଁକି ଏତେ କଥାସିନା
ମନେ ମନେ ଦିଏ ହସି
ସ୍ୱାମୀଙ୍କ ଖାଇବା ହେଲା ଅସୁବିଧା
ରଖିଦିଏ ଭାତ ଥାଳି
ଡାଲି ଆଣିବାକୁ ଭୁଲି ଯାଏ ଯଦି
କବିତାକୁ ଭାଳିଭାଳି
ପେପର ବାଲା ଟା ଦାଣ୍ଡରେ ଡାକୁଛି
ଭିକାରୀ ହୋଇଛି ଠିଆ
ସବୁ କଥା ମୋର ହୁଏ ଗୋଳମାଳ
ସପନ ଦେଖେ ମୁଁ ନୂଆ
ରାଗିକରି ଦିନେ ସ୍ୱାମୀ ପଚାରିଲେ
ଭୁଲ କରୁଛ ବେଶୀ
ତାଙ୍କ କଥା ଶୁଣି ଚାଲି ଯାଉ ଯାଉ
ଅଳପ ଦେଲି ମୁଁ ହସି
ତାଙ୍କ କଥା ଶୁଣି ରାଗିଲିନି ସିନା
କବିତା ପ୍ରେମରେ ପଡି
ସଚେତନ ହୋଇ କାମ ସବୁ କର
ଶୁଭୁ ଥିଲା ତାଙ୍କ ରଡି
ଗୋଡହାତ ଧରି କହିଲି ମୁଁ ତାଙ୍କୁ
କିଛି ମାଗୁନାହିଁ ଆଉ
କବିତାର ଘର ଗୋଟିଏ ଗଢିବା
ରାଗ ତୁମଟିକେ ଥାଉ
କହିଲେ ସେଥିରୁ କଣ ପାଉଛ
ଖାତା କଲମ କୁ ଧରି
ପାଟିରେ ତାଙ୍କର ହାତ ଦେଇ ଦେଲି
କୁହ ନାହିଁ ଏହି ପରି
ତୁମ ବିନା ମୋର କବିତା ଲେଖିବା
ନିଶ୍ଚୟ ରହିବ ଅଧା
ମଥାରେ ମୋହର ହାତ ରଖିଦେଲେ
ଦେଲେନାହିଁ ଆଉ ବାଧା
ସେହି ଦିନ ଠାରୁ ଲେଖୁଛି କବିତା
ସ୍ୱାମୀଙ୍କ ଆଦେଶ ନେଇ
ସ୍ୱାମୀ ପାଦେ ଗତି ତୀର୍ଥ ବ୍ରତ ମୁକ୍ତି
ମୋର ପରିଚୟ ଏହି ।।

