ନଦୀ କୁଳ
ନଦୀ କୁଳ
ଗାଁ ମୁଣ୍ଡରେ ଯାଉଛି ବହି
ମହାନଦୀର ଧାର
ତା ପାଖରୁ ଅଳ୍ପ ଦୂର
ମୋର ଟିକି ଘର
ପୁଣ୍ୟ ସେ ନଦୀ କେଉଁ କାଳରୁ
ଯାଉଛି ଧୀରେ ବହି
ସାଇତା ସ୍ମୃତି କେତେଯେ ତାର
ପାରିବ କିଏ କହି
ଖରା ବରଷା ଶୀତ କାକର
ପିଠିରେ ନିଏ ବୋହି
ଅଜାଚିତ ତା ଦାନ ପାଖରେ
ମଥା ମୋ ଯାଏ ନଇଁ
ଏହି ନଦୀ ସହ ପିଲାଦିନ ସ୍ମୃତି
ରହି ଅଛି ବିଜଡିତ
ଭୁଲି କି ପାରିବି ଜୀବନରେ କେବେ
ହେଲେ ବି ଯେତେ ଅତୀତ
ଦୁଇ କୁଳ ଖାଇ ବହି ଯାଉଥାଏ
ନ ଥାଏ ବାଧା ବନ୍ଧନ
ନଈ ପଠା ଧାରେ କଣ୍ଟା ଝଣ୍ଟା କିଛି
ଗଛଥାଏ ପରିପୂର୍ଣ୍ଣ
କେତେ ବେଳେ ନଦୀ ହୁଏ ପୂର୍ଣ୍ଣ ଗର୍ଭା
କେବେ ଯାଇ ଥାଏ ଶୁଖି
ସୁରୁଜ କିରଣେ ଦିଶେ ଝଲ ମଲ
ମନ ଯାଇଥାଏ ଲାଖି
ଚନ୍ଦ୍ରର ଶୀତଳ କିରଣରେ ଯେବେ
ନାଆ ଟିଏ ଦିଶେ ଦୂରେ
ତାର ଚିତ୍ରପଟ ବର୍ଣ୍ଣିବା ପାଇକି
କବିର ଲେଖନୀ ଝରେ
ନଦୀ ନୁହେଁ ସିଏ ମା ଟିଏ ଆମ
କୁଳ ତା ଶସ୍ୟ ଶ୍ୟାମଳା
କେତେ ଜିବଜନ୍ତୁ ତା କୋଳରେ ଟିକେ
ବାନ୍ଧନ୍ତି ଜୀବନ ଭେଳା
ପର କି ଆପଣା ଭାବେ ନାହିଁ ସିଏ
ସଭିଙ୍କୁ ନିଏ କୋଳେଇ
କେତେ ବାଙ୍କ ଦେଇ ବହିଯାଉ ଥାଏ
ସ୍ମୃତି କି ସାଉଁଟି ନେଇ ।
