ପରିଚୟ*
ପରିଚୟ*
ପରିଚୟ ବିନା ଏଇ ଦୁନିଆରେ
କେହିବି ତ ଜଣେ ନାହିଁ
ହେଉ ସେ ଗରିବ ହେଉବା ଭିକାରୀ
ହେଉ ଅବା ଧନୀ ସେହି ।
ପ୍ରଥମତଃ ପରିଚୟ ଆସେ ତାର
ଜନମ ଯେ ଦିନ ହୁଏ
କାହାର ସନ୍ତାନ ପୁଅ ଅବା ଝିଅ
କିଏ ତାକୁ କହି ଥାଏ ।
ମଣିଷର ପରିଚୟ ନେଇ ବଞ୍ଚେ
ହେଉ ପଛେ ଅମଣିଷ
ହେଉ ସେ ନୃଶଂସ ହେଉ ଅବା ମନ୍ତ୍ରୀ
ସାଜୁ ପଛେ କାଳ ଫାଶ ।
ଦେଶର ରକ୍ଷକ ସାଜି ଥାଉ ପଛେ
ଅବା କରୁ ସର୍ବନାଶ
ତଥାପି ଜଗତେ ପରିଚୟ ଦିଏ
ସିଏ ଯେ ଏକ ମଣିଷ ।
ଏଇତ ମଣିଷ ପରିଚୟ ପୁଣି
ବିଭିନ୍ନ ରୂପରେ ହୁଏ
ଯେଉଁ ପଦବୀରେ ଯିଏ ରହିଥାଏ
ସେଇ ପରିଚୟ ପାଏ ।
ସେଇ ପରିଚୟ ପୋଷାକ ବି ଦିଏ
ଦିଏ ବି ଆଇଡି ତାକୁ
ରଖୁ ବା ସମ୍ମାନ କରୁ ସେ ନିଲାମ
ବିଜିତ୍ କରୁ କାହାକୁ ।
ତଥାପି ମଣିଷ ଜାତିରେ ସେ ଗଣା
ପାଏ ପରିଚୟ ନର
ଜନ ସେବା ସିଏ କରୁଥାଉ ଅବା
ହେଉ ଖଣ୍ଟ ସାଧୁ ଚୋର ।
ନାରୀ ଅବା ହେଉ ପୁରୁଷ ସିଏ ବି
ପରିଚୟ ତା ଗୋଟାଏ
ଏଇ ଜଗତରେ ମଣିଷ ଭାବରେ
ସିଏ ଗଣା ହେଇଥାଏ ।
ଛପନ କୋଟି ଯେ ଜୀବ ସୃଷ୍ଟି ଛନ୍ତି
ଏଇ ବିଶ୍ବ ଜଗତରେ
ବିଭିନ୍ନ ରୂପରେ ପରିଚୟ ତାଙ୍କ
ଲେଖା ଥାଏ କପାଳରେ ।
ବୃକ୍ଷଲତା ପୁଣି ଜୀବଜନ୍ତୁଙ୍କର
ପରିଚୟ ପୁଣି ଥାଏ
କହି କି ପାରିବ ବିନା ପରିଚୟେ
କିଏ ସୃଷ୍ଟି ହେଇଥାଏ ।
ବଂଶଗତ ପରିଚୟ ତ ଏମିତି
ନିଜେ ଭଲ ମାର୍ଗ ଧର
ଭଲ ମଣିଷଟେ ହେଇ ଏ ଜଗତେ
ନାଆଁଟି ବିସ୍ତାର କର ।
ନିଜ ପରିଚୟ ନିଜେ ସୃଷ୍ଟି କର
ଦସ୍ୟୁ ରତ୍ନାକର ପରି
ବାଲ୍ଭୀକି ସାଜିଲେ ସେ ପଥ ଛାଡିଲେ
ପ୍ରଭୁଙ୍କର ନାମ ଧରି ।
ରଚି ରାମାୟଣ ହୋଇଲେ ପ୍ରସିଦ୍ଧ
ହେଲେ ସିଏ ମହାମୁନି
ଏଇ ଜଗତରେ ଚିରସ୍ମରଣୀୟ
ରହିଲା ତାଙ୍କ ଲେଖନୀ ।
ମୁର୍ଖ କାଳିଦାସ ହୋଇଲେ ପଣ୍ଡିତ
ସାରଳା ମାଆଙ୍କୁ ସେବି
ବିକ୍ରମାଦିତ୍ୟ ନବ ରତ୍ନ ମଧ୍ୟେ
ସାଜିଲେ ସେ ମହା କବି ।
ମହା ମହା ଗ୍ରନ୍ଥ କରିଲେ ରଚନା
ସଂସ୍କୃତ ଭାଷାରେ ସିଏ
ଯିଏ ପଢୁଥାଏ ସିଏ କହୁଥାଏ
ମୁର୍ଖ କାଳି ଦାସ ଇଏ ।
ଭୀଷ୍ମ, ଦ୍ରୋଣ ଅବା ହେଉ ସିଏ କର୍ଣ୍ଣ
ପର୍ଶୁରାମ ବା ଅର୍ଜୁନ
ନିଜ ପରାକ୍ରମେ ହେଲେ ଧନୁର୍ଦ୍ଧାରୀ
ପଛେ ଦେଲେ ସେ ଜୀବନ ।
ବିଶ୍ବ ବିଜୟୀ ସେ ହୋଇଲା ରାବଣ
ରାମାୟଣେ ଅଛି ଲେଖା
ନିଜ ଭାଗ୍ୟ ରେଖା ନିଜେ ନିର୍ଭା କଲା
ଲିଭାଇ ଜୀବନ ଶିଖା ।
ଇତିହାସ କଥା ନ କହିବା ଭଲ
ସମ୍ରାଟ ଅଶୋକ ଦେଖ
ଚଣ୍ଡାଶୋକରୁ ସେ ଧର୍ମାଶୋକ ହେଲେ
ନିଜେ ତନଖି ପରଖ ।
କେତେ ଯେ ଏମିତି ନିଜ ପରିଚୟ
ନିଜେ ସୃଷ୍ଟି କରିଛନ୍ତି
ରାଣୀ ଲକ୍ଷ୍ମୀବାଈ ଅବା ଧର୍ମପଦ
କୀର୍ତ୍ତି ରଖି ଯାଇଛନ୍ତି ।
ବଖାଣୀ ବସିଲେ ଅନେକ ଅଛନ୍ତି
ରାତି ପଛେ ପାହିଯିବ
ଯୁଗ ଚାଲି ଯିବ ସବୁ ପରିଚୟ
ନା କିଏ ଲେଖି ପାରିବ ।
ନିଜ ପରିଚୟ ଏମିତି ଯେ ଗଢ
ଯେମିତି ସମ୍ମାନ ଥିବ
ମଶାଣୀ ଜୁଇରେ ଜଳି ଗଲା ପରେ
ଜଗତେ ଅଲିଭା ହେବ ।
ସବୁ ହୃଦୟରେ ରହି ଥିବା ସଦା
ରଖି ଯାଇଥିବା କୀର୍ତ୍ତି
ଅଢେଇ ଦିନିଆ ଏଇତ ଜୀବନ
ହେଇଯିବ ଦିନେ ଇତି ।
ମଣିଷର ପରିଚୟ ନେଇ ଆମେ
ହେବା ନାହିଁ ଅମଣିଷ
ଭଲ କାମ କରି ରହିବା ହୃଦୟେ
ପାଇ ସଭିଁଙ୍କ ଆଶିଷ ।
ତେବେ ଯାଇ ସିନା ଏଇ ପରିଚୟ
ସାର୍ଥକ ହୋଇବ ଆମ
ଆମେ ବି ନ ଥିଲେ ଏଇ ଦୁନିଆରେ
ରହିଥିବ ଆମ ନାମ l
