ପରିବେଶ ଓ ପରିସ୍ଥିତି
ପରିବେଶ ଓ ପରିସ୍ଥିତି
ମାନବ ଜୀବନ ଦି ଦିନର ଖେଳ
କେବେ ମିଳେ ସୁଖ ଶାନ୍ତି,
କେବେ ଥାଏ ଖାଲି ଦୁଃଖର ପସରା
ସବୁ ଲାଗେ ମିଥ୍ୟା ଭ୍ରାନ୍ତି ।
ବୀଜରୁ ଅଙ୍କୁର,ଅଙ୍କୁରରୁ ବୃକ୍ଷ
ହୁଏ ସୁସ୍ଥ ପରିବେଶେ,
ନୋହିଲେ ବୀଜଟି ଲଭଇ ମରଣ
ମାଟି ତଳେ ଅବଶେଷେ ।
ଟିକି ଝରଣାଟି କୁଳୁକୁଳୁ ଗାଇ
ଝରଇ ପର୍ବତ କୋଳୁ,
ସାଗର ସନ୍ଧାନ ଆଶା ଥାଏ ମନେ
ତା'ର ସୃଷ୍ଟି ହେବା ବେଳୁ ।
ପଥେ ଯଦି ପଡ଼େ ତୁଚ୍ଛା ମରୁଭୂମି
ହରାଇ ନିଜର ସତ୍ତା,
ମଲା ନଈ ସାଜି ଭାଗ୍ୟକୁ ଆଦରି
ଭୁଲେ ତା' ଅନନ୍ତ ଯାତ୍ରା ।
ଶିଶୁ ଟିଏ ଯଦି ପାଏ ପ୍ରୋତ୍ସାହନ
ବଢ଼ାଏ ଦେଶର ମାନ,
ଅନ୍ୟଥା ଝରେ ସେ ବଣମଲ୍ଲୀ ସମ
ଭାଙ୍ଗିଯାଏ ତା'ର ମନ ।
କବି ବା ଲେଖକ ଲେଖନୀ ମୁନରେ
ସୃଷ୍ଟ ସାହିତ୍ୟ କୋଣାର୍କ,
ଆଦୃତି ଅଭାବେ ଶୁଖେ ତା' ଲେଖନୀ
ପାଏ ସେ ମୃତ୍ୟୁର ଦୁଃଖ ।
ଜନ୍ମରୁ ମରଣ ଜୀବନର ପଥ
ଖାଲି ନୁହେଁ ସଂଖ୍ୟାଟିଏ,
ପରିସ୍ଥିତି ଯଦି ହୁଏ ଅନୁକୂଳ
ଜୟଟୀକା ଲଭିଥାଏ ।
