ପରିବେଶ ଚିନ୍ତା
ପରିବେଶ ଚିନ୍ତା
ବୃକ୍ଷ ମୁହିଁ ରୁକ୍ଷ ନୋହି
କର ମୋତେ ରକ୍ଷା ।
ହେ ଶ୍ରେଷ୍ଠପ୍ରାଣୀ ମାନବ
କର ଏହା ଦୀକ୍ଷା ।।
ଉତ୍ତପ୍ତ ଧରା ଉତ୍ତାପେ
ହୋଇ ହନ୍ତସନ୍ତ ।
ହିମାଳୟୁ ତରଳୁଛି
ମହା ହିମସ୍ରୋତ ।।
ସାଗର ପତ୍ତନ ବଢ଼େ
ମେରୁ ହିମ ଗଳି ।
ପ୍ରଳୟ ବାରି ନିଶ୍ଚୟ
ସୃଷ୍ଟି ଦେବ ଗିଳି ।।
ମୋର ଯୋଗୁଁ ସୁଦ୍ଧ ବାୟୁ
ଅମ୍ଳଜାନ ପାଅ ।
ମୋ ପ୍ରତି ନିଷ୍ଠୁର ଭାବ
କିଆଁ ତୁମେ ବହ ।।
ମୁହିଁ ବୃକ୍ଷ ରଖିଅଛି
ତୁମ୍ଭର ଔଷଧି ।
ଉପକାର କରେ ଦୂରେ
ଥୋଇ ମହାବ୍ୟାଧି ।।
ବୃକ୍ଷ ପରା ଦେବତା
ଏ ଶାସ୍ତ୍ରରେ ବଖାଣ ।
ବଟ, ପଲାଶ, ପିପ୍ପଳ
କାର୍ତ୍ତିକ ପୁରାଣ ।।
ମୋର ଯୋଗୁଁ ୠତୁଚକ୍ର
ଠିକେ ଚାଲିଥାଇ ।
ଗ୍ରୀଷ୍ମ ବଢ଼ିଗଲା କିଆଁ
ବୋଲୁଅଛ ଭାଇ ।।
ଅବାଧ ଜଙ୍ଗଲ କାଟି
କରୁ ଅଛ ପଦା ।
ଜଙ୍ଗଲେ ମଙ୍ଗଳ ଲାଗେ
ବୁଝି ଅଛ ଅଧା ।।
ମୋ କୋଳେ ବସତି କରି
ପଶୁ ପକ୍ଷୀ ଗଣ ।
ବଧ କରି ହରାଉଛ
ସୃଷ୍ଟି ସନ୍ତୁଳନ ।।
ଆପଣା ହସ୍ତରେ ଜିହ୍ଵା
ଛେଦୁଅଛ ବନ୍ଧୁ ।
ପ୍ରତିବାଦୀ ନୋହି ଦିନ
ଯିବ କାନ୍ଦୁ କାନ୍ଦୁ ।।
ପର୍ଯାବରଣର ରକ୍ଷା,
ବୃକ୍ଷ, ସୃଷ୍ଟି ରକ୍ଷା ।
ଅବିଳମ୍ବେ କର ନରେ
ନକରି ପ୍ରତୀକ୍ଷା ।।
ସବୁ ଜାଣିଶୁଣି ଯେବେ
ଚେଇଁ ଶୋଇଥିବ ।
ମହା ପ୍ରଳୟ ହୋଇବ
ସୃଷ୍ଟି ନାଶ ଯିବ ।।
ମାନବକୁ ଶିକ୍ଷା ଦିଅ ହେ
ଦାରୁ ଦେବତା ।
ଦାନଵ ନ ହେଉ କରୁ
ପରିବେଶ ଚିନ୍ତା ।।
