ପରିବାର
ପରିବାର
ନୂଆଣିଆ ଛପର
ଆକାଶକୁ ଆଁ କରି ରହିଛି
ଖରାବର୍ଷା ସାଥେ ନିଇତି ଭେଟ
ସାତପ୍ରାଣୀ କୁଟୁମ୍ବରେ ଆମ ପରିବାର ।
ବଡିଭୋରୁ ବୋଉର ଲିପାପୋଛା
ବାପାଙ୍କ ଗୁହାଳ କାମ
ଆମ ନିଦକୁ ଦରସିଝା କରିଦିଏ
ତାପରେ ଦୁମ୍ ଦୁମ୍,ଭୁସ୍ ଭାସ୍
ଆମ ଭାଇଭଉଣୀଙ୍କ ବଦମାସି ।
ତାପରେ ବାପାଙ୍କ ପାଞ୍ଚଣ ମାଡ
ବାପାବୋଉଙ୍କ ଝଗଡା
ସତରେ କେଡେ ନିଆରା ଏ ବନ୍ଧନ ।
ରକତ ଟାଣେ ରକତକୁ
ଅଭାବି ଛାତି ଜାବୋଡିଥାଏ ସମ୍ପର୍କ କୁ
କାଣିଚାଏ ବି ଲୋଚାକୋଚା ହୋଇନି
ଅଦିନିଆ ଝଡବତାସର ବୋଝରେ
ହଁ ଦାଦନ ଯିବାବେଳେ ବୋଉଟା ଲୁହଗଡାଏ
ବାପା ମୋର ଗାମୁଛାରେ କୋହ ଲୁଚାଏ ।
ଦେଇର ବାହାଘର ଟଙ୍କା ସୁଝିବା ପାଇଁ
ମତେ ନିଇତି ଫୋନ୍ ଆସେ
ସାନଭାଇ ଭଉଣୀଙ୍କ ହଜାରେ ଫରମାଇସ୍
କେତେଦିନ ଭାଇ ମିଛରେ ଭଣ୍ଡେଇବୁ
ସବୁ ଜିନିଷ ନେଇକି ଆସିବୁ ।
ସତରେ ହଡାବଳଦଟେ ହେବାକୁ ପଡେ
ଲହୁଲୁହ ପିଇବାକୁ ହୁଏ
ଅବୁଝା ନିଶ୍ଵାସ ସବୁକୁ ଢୋକିବାକୁ ହୁଏ
ପରିବାର ପାଇଁ ଯୁଝିବାକୁ ପଡେ ।
