ପ୍ରେମର ପୁଲ୍ଲକ
ପ୍ରେମର ପୁଲ୍ଲକ


ତମେ ବି ନିରବ ମୁଁ ବି ନିରବ
ନୀରବତା କୁହେ କଥା
କୁହନାହିଁ କିଛି ଶୁଣିପାରେ ମୁଁ ଯେ
ଦରଦୀ ହୃଦୟ ବ୍ୟଥା ।
କେତେ ବେଳେ ଆଖି କେତେବେଳେ ଓଠ
କରୁ ଥାଏ ଆନମନା
ଦୁଇପଦ କଥା ହେବା ପାଇଁ ସତେ
କେତେ ମୁଁ କରେ ବାହାନା l
ହୃଦୟ ସାଗରେ ଅନେକ ଜୁଆର
ଆସି ପୁଣି ଫେରୁଥାଏ,
ତୁମ ଭାବନାରେ ହଜିବାକୁ କାହିଁ
ଏତେ ମୁଁ ଯେ ଭଲ ପାଏ l
ଦୁଇ ହୃଦୟର ଅବ୍ୟକ୍ତ ସଂଳାପ
ଗୋପନରେ ଦିଆନିଆ,
ତୁମେ ବି ଜାଣିଛ ମୁଁ ବି ଜାଣିଛି
ହୃଦୟେ ଜଳୁଛି ନିଆଁ l
ଅଜାଣତେ ମୋର ଅମାନିଆ ମନ
ତୁମ ପ୍ରତୀକ୍ଷାରେ ଥାଏ,
ନ ଆସିଲେ ତୁମେ ଦୁଃଖର ବାଦଲ
ମନ ଆକାଶରେ ଛାଏ l