STORYMIRROR

Anita Dash

Romance Others

4  

Anita Dash

Romance Others

ପ୍ରେମର ମହକ ବାସେ

ପ୍ରେମର ମହକ ବାସେ

1 min
332

ଛୁପି ଛୁପି ମୋର ଆଦ୍ୟ ଯଉବନେ

ଅଲକ୍ଷରେ ଚାଲି ଆସି

କେଉଁ ପ୍ରେମ ରଙ୍ଗ ଛିଟା ପ୍ରିୟତମ

ହୃଦେ ଦେଇଥିଲ ନେସି ।


ସମୟ ଝଡ଼ରେ ଘଷି ମାଜି ହୋଇ

ଯଉବନ ଗଲା ଚାଲି

ବୟସ ସିଡ଼ିର ଶେଷ ସୋପାନର

ପାଶେ ମୁଁ ପହଂଚି ଗଲି।


ଆଜି ଯାଏଁ ସେହି ପ୍ରେମ ରଙ୍ଗ ଛିଟା

ଅସର ଯାଇନି ଚାଲି

ତୁମରି ସ୍ମୃତିରେ ମନ-ଯଉବନ

ଭୂମାନନ୍ଦେ ନାଲି ନାଲି।


ତୁମ ଯାଦୁକରୀ କାଉଁରୀ ପରଶ

ହିଆଟିକୁ ଯାଏ ଛୁଇଁ

ସପନରେ ଆସି ଦେଖାଦିଅ ସିନା

ପାଶେ ଧରାଦିଅ ନାହିଁ।


ଅଭୁଲା ପ୍ରେମର ଚନ୍ଦନ ମହକ

ହୃଦୟେ ହୋଇଛି ନେସି,

ନିଃଶ୍ୱାସରେ ଆସି ବିଶ୍ୱାସେ ଆଉଁସି

ଭରି ଦିଏ ମନେ ଖୁସି।


ମୁଖା ପିନ୍ଧି ଦେଇ ମୁଖକୁ ଲୁଚେଇ ,

ଦେଲେ ଆନ ପରିଚୟ ,

ପରତେ ଯିବିକି, ପ୍ରେମର ମହକ

ବାସେ ଯେଣୁ ମହମହ ।


ଅର୍ଥ ପ୍ରତିପତ୍ତି ପ୍ରତିଷ୍ଠା ସମ୍ମାନ,

କିଛି ମୋର ଲୋଡାନାହିଁ ,

କପଟ ନକରି କାନେ କହିଦିଅ;

"ଆଗୋ ମୋର ପ୍ରାଣ ସହି"।


ସାତ ଜନମର ବନ୍ଧନ ପରା ଏ

ନୁହେଁ ବର୍ଷ ମାସ ଦିନ,

ପ୍ରଭୁ ଜଗନ୍ନାଥ ଢାଳନ୍ତି ଆଶିଷ

ହୋଇ ପାରିବନି କ୍ଷୀଣ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance