ପ୍ରେମିକା
ପ୍ରେମିକା
ତମେ ଯେତେବେଳେ
ହ୍ଵାଟ୍ସଆପରେ ଥାଅ
ଖୁସି ଲାଗେ
କିନ୍ତୁ ତା'ଠୁ ଅଧିକ କଷ୍ଟ ହୁଏ
ଥାଇ ଯେବେ କଥା ନ ହୁଅ ।
ତମ ଭିତରେ ମୁଁ
ପୃଥିବୀ ଦେଖେ ବୋଲି
ତମେ ଭଲଭାବେ ଜାଣ
ତଥାପି ତୁନିରହି
ମୋ ନିରୀହ ହୃଦୟକୁ ହାଣ ।
ହଁ ହେଇପାରେ
ତମ ଆଉ ମୋ ଭିତରେ
ମାଟି ଆଉ ଆକାଶର ପାର୍ଥକ୍ୟ
କିନ୍ତୁ ମାଟି ବିନା ଆକାଶର ପ୍ରେମ
ମୂଲ୍ୟହୀନ ତମେ ଜାଣିଥିବ ନିଶ୍ଚୟ ।
ଯେବେ ଆକାଶ ପ୍ରେମରସ ବର୍ଷା କରେ
ମାଟି ଛାତିକି ତା' ପତେଇ ଦିଏ
ଆଉ ପ୍ରେମର ସେ ପୀୟୂଷ ଧାରକୁ
ସାରା ଦେହେ ବୋଳି ହେଇ
ସ୍ୱର୍ଗୀୟ ସୁଖ ଅନୁଭବ କରେ ।
ମାଟି ଆଉ ଆକାଶର ମିଳନରେ
ଧରିତ୍ରୀ ହରାଭରା ହୁଏ
ଶୁଖିଲା ନଈ ଚଳ ଚଞ୍ଚଳ ହୁଏ
ନନାଜାତି ଫୁଲ ଫୁଟେ ଫଳ ଫଳେ।
ଆଃ ! ସେ ଶୀତଳ ମଳୟର ଶିହରିତ ସ୍ପର୍ଶ
ମୃତ ଶରୀରକୁ ଜୀବନ୍ତ କରେ
ପ୍ରେମର ଶାଖା ପ୍ରଶାଖା ମେଲେଇ
ସପନରେ ସମର୍ପିଦେଇ ମନ ପ୍ରାଣ
ଆଲିଙ୍ଗନ କରେ ।
ଯେବେ ଛାତି ଛାତିର ଉଷ୍ମତା ମାପେ
ହୃଦୟର ସ୍ପନ୍ଦନ କାଳକ୍ରମେ ପ୍ରଖର ହେବାକୁ ଲାଗେ
ଦୁଇ ଆଖି ଚିରନିଦ୍ରାର ଅନୁସନ୍ଧାନରେ ଲାଗିପଡ଼େ
ଆଉ ଆପେ ଆପେ ଓଠ ଓଠକୁ ଝୁରିହୁଏ ।
ଦୁଇ ମନ ଓ ଦୁଇଫାଳ ଛାତି
ଏକାଠି ହେବାପରେ
ସୃଷ୍ଟି ହୁଏ ଓଁ ନାଦର ଝିଙ୍କାର
ସେ ଝିଙ୍କାରରେ ସାଗର ଦୋହଲୁ ଥାଏ
ମାଟି ଆକାଶକୁ ଜାବୁଡି ଧରୁଥାଏ
ନିଜେ ନିଜର ଅସ୍ତିତ୍ୱକୁ ପାସୋରି ।।