STORYMIRROR

Shiba Charan Mahapatra

Abstract

3  

Shiba Charan Mahapatra

Abstract

ପ୍ରେମିକ ବୈରାଗୀ

ପ୍ରେମିକ ବୈରାଗୀ

1 min
264

ପଚାରନା ମୋତେ

ମୋ ପାଖରୁ ପାଇବନି ତୁମେ 

ସବୁ କାହିଁକି'ର ଆସ୍ୱସ୍ତିକର ଉତ୍ତର

ପଚାରନା ମୋତେ

ନିଜ ରକ୍ତ ପିଇବାରେ ଥାଏ କି ଆନନ୍ଦ

ସେ ମୋ ପାଇଁ ଅମୃତ ନା ନିଶାସକ୍ତ ଜହର


ପଚାରନା ମୋତେ

କାହିଁକି ମୁଁ ଜଳୁଥାଏ ପତଙ୍ଗଟେ ପରି

କାହିଁକି ମୁଁ ପିଉଥାଏ ହେମଲକ୍ ବିଷ

କାହିଁକି ମୁଁ ଧୃବତାରା ହୋଇ ପଡୁଥାଏ ଝରି

ନିଜ ଭାଗ୍ୟ ଆକାଶକୁ କରି ଉପହାସ


ନିଜ ପାଇଁ ବୁଣୁଥାଏ ବୁଢିଆଣୀ ଜାଲ 

ପୁଣି ନିଜ ଦେହେ ହେଉଥାଏ ଛନ୍ଦି

ପଚାରନା ମୋତେ କି କହିବି ତାକୁ

ସେ ସମୟର ନାଗଫାଶ ନା ସମ୍ପର୍କର ମଧୂମୟ ବନ୍ଦୀ


ପଚାରନା ମୋତେ

ଦୁଇ ଆତ୍ମାର ମଧୂମିଳନ ପରେ

ଆଉ କଣ କିଛି ରହିଯାଏ ବାକି

ଯେ

ତାକୁ ନେଇ ପ୍ରେମିକା ଦେହକୁ ସଜେଇଥାଆନ୍ତି 

କରି ସୌନ୍ଦର୍ଯ୍ୟର ଗନ୍ତାଘର

ଦେହାଶ୍ରିତ ପ୍ରେମର ଭିକ୍ଷାବୃତ୍ତି କରି

ଗଳି ଗଳି ବୁଲୁଥାନ୍ତି ସାଜି ପ୍ରେମିକ ପ୍ରବର


ହେଲେ ତୁମେ କି ଜାଣନା

ମୁଁ ଯେ ପ୍ରେମିକ ବୈରାଗୀ

ଏବେ ରଙ୍ଗହୀନ ବୈରାଗ୍ୟ ମୋ 

ମନୋଇ ପ୍ରେମିକା ଆଉ ପିଲା ଛୁଆ ସଂସାର


ହସୁଥାଏ ମୁଁ ଦୁଃଖର ଛାତିଚିରି

କର୍ମ-ଭାଗ୍ୟର ଧର୍ମଯୁଦ୍ଧରେ

କାନ୍ଦୁଥାଏ ମୁଁ ଅଭିମାନୀ କୁରୁକ୍ଷେତ୍ର ପରି

ନିଷ୍ପେଶିତ ହେଉଥାଏ 

ଚକ୍ରବ୍ୟୁହେ ଅଭିମନ୍ୟୁ ପରି


ଶବ୍ଦ ମାନଙ୍କୁ ଆୟୁଧ କରି ମୁଁ ଆଜି ମୁକ୍ତ

ଲୋଡାନାହିଁ ମୋତେ ତୁମ 

ଦୁଃଖ ଜର୍ଜରିତ କର୍ଦ୍ଦମାକ୍ତ ପ୍ରେମର କାଣିଚାଏ ସ୍ନେହ ଭିକ୍ଷା ଅବା

ହାଡ ମାଂସ ରକ୍ତ


ଏବେ ପଚାରନା ମୋତେ 

କାହିଁକି ମୁଁ ବୁଡିରହେ ତା ନିସ୍ୱାର୍ଥ ପ୍ରେମରେ

କେଉଁ ଉଦ୍ଦେଶ୍ୟରେ

କାହିଁକି ମୁଁ ଖୋଜୁଥାଏ କଅଣ କିପରି

ଏ ଶବ୍ଦ ଗହଳିରେ

ମୋ ଭାବନା ରାଜ୍ୟରେ


ତୁମେ କି ଜାଣନା 

ମୁଁ ଯେ ପ୍ରେମିକ ବୈରାଗୀ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract