ପ୍ରେମ
ପ୍ରେମ
ସ୍ମୃତିରୁ ଆରମ୍ଭ, ହୃଦୟ ମଧ୍ୟରେ,
ସ୍ପନ୍ଦନ ସାଥେ ଜଡିତ
ପ୍ରତି ସ୍ପନ୍ଦନରେ, ସାଥେ ସ୍ଥିତ ରହି,
ଉତ୍ସାହିତ ଆଲୋଡିତ ।
ପ୍ରାଣ ହର୍ଷ ଶ୍ରାବ୍ୟ, କୀର୍ତ୍ତି ମୂର୍ତ୍ତି ସ୍ତବ,
ଢାଳେ ଭାଙ୍ଗୁର ମୂର୍ଚ୍ଚନା
ଆକର୍ଷିତ ମନ, ଯୁଗଳ ଚୁମ୍ବକ,
ନିରନ୍ତର ୟେ କାମନା ।
ମାତୃ ପିତୃ ପ୍ରେମ, ଅସୀମ ମହକ,
ଚିର ନିତ୍ୟ ଓ ଶାଶ୍ୱତ
ଭାତୃ ଭଗ୍ନୀ ପ୍ରେମ,ସ୍ନେହ ଶ୍ରଦ୍ଧା ସଂଗେ,
ଆଜୀବନ ଆଲୋଡ଼ିତ ।
ଗୁରୁ ଶିଷ୍ୟ ପ୍ରେମ, ଭକ୍ତି ମୁକ୍ତି ସାଥେ,
ଉଦୟ ଜ୍ଞାନର ଜ୍ୟୋତି
ବାଲ୍ୟ ବନ୍ଧୁ ସଦା, ପଥ ପ୍ରଦର୍ଶକ,
ଥାଏ ହୋଇ ନିଜ ଶକ୍ତି ।
ଯୁଗ ଯୁଗ ପାଇଁ, ପତିପତ୍ନୀ ପ୍ରେମ,
ବନ୍ଧା ଜୀବନର ପଥେ
ଜୀବନ ମରଣ, ଏକ ସାଥେ ରହି,
ଚାଲେ ସୁଖ ଦୁଃଖ ରଥେ ।
ପ୍ରେମ ଚିରନ୍ତନ, ପ୍ରେମ ହିଁ ସମ୍ପର୍କ,
ପ୍ରେମ ବିନା ନାହିଁ ଶାନ୍ତି
ଏହି ପ୍ରେମ ବନ୍ଧେ, ସୂର୍ଯ୍ୟ ଚନ୍ଦ୍ର ପୃଥୀ,
ନିଜ ପଥେ ରହିଛନ୍ତି ।
ପ୍ରେମ ଅର୍ଥ ନୁହେଁ, ଛଳନା ଲାଞ୍ଛନା,
ନୁହେଁ ଭଣ୍ଡ ପ୍ରତାରଣା
ପ୍ରେମ ଶବ୍ଦ ସାଥେ, ନଲାଗୁ କଳଙ୍କ,
ପ୍ରେମ ସୃଷ୍ଟି ସଂରଚଣା ।
ଗୋପୀବିନ୍ଧା, ବ୍ରହ୍ମଣ ଗାଁ,
ବାଲେଶ୍ୱର(ଭଦ୍ରକ)

