ପ୍ରେମ
ପ୍ରେମ
ପ୍ରେମ ମଧୁମୟ ପ୍ରେମ ତ ଶାସ୍ୱତ
ପ୍ରେମ ଅଟେ ଚିରନ୍ତନ
ପ୍ରେମ ବଳେ ନର ଜୀବନରେ ତାର
ଦେଖେ ସୁଖ ଦୁଃଖ ଦିନ |
ପ୍ରେମ କେହି କେବେ କରି ତ ନଥାଏ
ଆପେ ପ୍ରେମ ହୋଇଯାଏ
ଥରେ ହୋଇଗଲେ ଦୁଇ ହୃଦୟରେ
ପ୍ରୀତି ବନ୍ୟା ବହିଯାଏ|
ଦୁଇଟି ଜୀବନ ଦୁଇଟି ପରାଣ
ଏକସାଥେ ଭାସିଯାଏ
ପାଏ ନାହିଁ କେହି ଥଳକୂଳ କିଛି
ଆତୁରରେ ଭାସୁଥାଏ |
ପ୍ରଥମ ଦେଖାରେ ଆଖିର ମିଳନେ
ମୁଖର ମଧୁ ଭାଷଣେ
ହୃଦୟ ଚୁମ୍ବକ ହୋଇ ଆକର୍ଷିତ
ଏକ ଆରେକକୁ ଟାଣେ|
ପ୍ରୀତି ଫଗୁଣର ପ୍ରେମ ବଉଳର
ବାସନା ମନକୁ ମୋହେ
ମୃଦୁ ମଳୟରେ କୋଇଲି କଣ୍ଠର
ସୁମଧୁର ସୁର ବହେ |
ଦିନେ ନ ଦେଖିଲେ ପଦେ ନଶୁଣିଲେ
ପଦେ ନ କହିଲେ କଥା
ରହି ହୁଏନାହିଁ ସହି ହୁଏନନାହିଁ
ଦାରୁଣ ବିରହ ବ୍ୟଥା |
ପ୍ରୀତି ଫଗୁଣର ସ୍ମୃତି ମିଳନର
ହୃଦୟରେ ନାଚୁଥାଏ
ଅମାନିଆଁ ମନ ମାନେନାହିଁ ଜମା
ତା ମନକୁ ଖୋଜୁଥାଏ |
ସରସୀ ଜଳରେ କଇଁଫୁଲ ଯେହ୍ନେ
ତା ଜହ୍ନକୁ ଚାହିଁ ରହେ
ପ୍ରେମିକ ପ୍ରେମିକା ଏକ ଆରେକକୁ
ଆଖି ଆଗେ ଥିବା ଚାହେଁ |
ସୁନ୍ଦର ହୃଦୟେ ସୁନ୍ଦର ସେ ପ୍ରେମ
&
nbsp;ସୁନ୍ଦର ସ୍ଥାନରେ ଥାଏ
ପ୍ରକୃତ ପ୍ରେମରେ ପାଇବା ନଥାଏ
ସବୁକିଛି ଦେବା ଥାଏ |
ନାହିଁ ପ୍ରତାରଣା ନ ଥାଏ ଛଳନା
ଅମୃତ ପ୍ରକୃତ ପ୍ରେମେ
ସବୁକିଛି ଜଣେ ତ୍ୟାଗ କରିଥାଏ
କରିଥିବା ପ୍ରେମ ନାମେ |
ପୀରତି ପାଳିବା ଅତିବ କଠିନ
କରିଥିଲେ ମନପ୍ରାଣେ
ଆକାଶ ଚଢିବା ବାୟୁକୁ ବାନ୍ଧିବା
ପାରଦ ମୁଠାରେ ଯେହ୍ନେ |
ପୀରତିର ପଥ ଅତିବ ବନ୍ଧୂର
ତୀକ୍ଷ୍ଣ ଶିଳା ପରିପୂର୍ଣ୍ଣ
କୃପାଣ ଧାରରେ ଚାଲିବା ସହିତ
ଅଟେ ସେ ପଥ ସମାନ |
ତପ୍ତ ମରୁବାଲି ଉପରେ ଚାଲିବା
ଅପେକ୍ଷା କଠିନତର
ପ୍ରେମର ପଥରେ ଲୟରେ ଚାଲିବା
କାର୍ଯ୍ୟ ପ୍ରେମୀ ଯୁଗଳର |
ଭଗବତ୍ ପ୍ରେମ ଅଟଇ ଅନନ୍ୟ
ଅଟଇ ଅମୃତ ସମ
ବିଲୀନ ହୋଇଲେ ଥରେ ବିଭୁପ୍ରେମେ
ପାଶ ମାଡିବନି ଯମ |
ବିଭୁ ପ୍ରେମ ସ୍ରୋତେ ଭସାଅ ପରାଣ
କରିଦିଅ ସମର୍ପଣ
ସାଂସାରିକ ଜ୍ଞାନ ରହିବନି ତୁମ
ଜୀତେନ୍ଦ୍ରୀୟ ହେବ ଜାଣ |
ସେ ଆନନ୍ଦ ମୟ ସେ ମଙ୍ଗଳମୟ
କୋଟି ଭୁବନ ପାଳକ
ଭସାଅ ପରାଣ ବିଭୁ ପ୍ରେମ ସ୍ରୋତେ
ପାଇବ ସରଗ ସୁଖ |