ପ୍ରେମ ମୁଁ ଅପରାଜିତା
ପ୍ରେମ ମୁଁ ଅପରାଜିତା
ନୁହେଁ ପରିତ୍ୟକ୍ତା ନୁହେଁ ପରାଜିତା
ପ୍ରେମ,ମୁଁ ଅପରାଜିତା,
ଶ୍ରଦ୍ଧା ମୋ' ସ୍ୱୀକୃତି ପ୍ରୀତି ମୋ' ପ୍ରବୃତ୍ତି
ଅଙ୍ଗେ ମୋ' ଲାବଣ୍ୟ ବାର୍ତ୍ତା
ରୀତିରେ ନିଆରା ଋତୁ ଫଲ୍ଗୁଭରା
ବାସନ୍ତୀ ମୃଦୁହାସିନୀ,
ମଳୟ ପରଶେ ସ୍ମିତ ସ୍ମିତ ହସେ
ମଧୁର ମଧୁଭାଷିଣୀ
ଆଖିରେ ମୋହର ସତ୍ୟର ସହର
ଓଠରେ ଅଲିଭା କଥା,
ସେ କଥା ଢେଉରେ ସାଥୀ ହୃଦୟରେ
ହଜିଯାଏ ବର୍ଣ୍ଣ ବ୍ୟଥା
ଛଳନା ମୋ' ଅର୍କ- ପ୍ରାଣ ପାଇଁ ନର୍କ
ମିଛ ମୋର ସଉତୁଣୀ,
କପଟ ପଣକୁ ଖାତିର ନକରି
ଉଡେ ମୋ' ପଣତକାନି
ଜନନୀ ଆଖିର ଲୁହର ଢେଉରେ
ଭଉଣୀ ବଦାନ୍ୟତାରେ,
ଜାୟା ସୀମନ୍ତରେ ପ୍ରେମିକା ଆଖିରେ
ମୁଁ ଥାଏ ପ୍ରୀତିପଣରେ
ଫୁଲ ପାଖୁଡ଼ାରେ ଉଷା କିରଣର
ଅଳସ ଅଭିମାନରେ,
ବଉଦ କୋଳର ଶୁଭ୍ର ପଣତରେ
ଇନ୍ଦ୍ରଧନୁର ରଙ୍ଗରେ
ସାଗର ଶେଯରେ ଆକାଶ ଢେଉରେ
ମୋ' ଅଙ୍ଗର ରଙ୍ଗ ନୀଳ,
ସିନ୍ଦୂରା ସନ୍ଧ୍ୟାରେ ସନ୍ଧ୍ୟାରାଣୀ ସାଜେ
ରଜନୀରେ ମୁଁ ବର୍ଣ୍ଣିଳ
ତୁମେ ସିନା ତୁମ ସ୍ୱାର୍ଥୀ ନଜରରେ
ମୋତେ କର ପରାହତ,
ନିନ୍ଦା ବଜାରରେ ବିକ୍ରି କରିଚାଲ
ନ ଜାଣି ମୋର ମହତ୍ତ୍ୱ
ଯୁଦ୍ଧରେ ଅଥବା ହିଂସା ଅନ୍ତରାଳେ
ବିଜୟ କି ହୁଏ ପ୍ରାପ୍ତ
ମୋ' ସଙ୍ଗୀତ ସୁରେ ପ୍ରୀତି ଘୁଙ୍ଗୁରରେ
ପଦଧ୍ୱନି ମୋର ତୃପ୍ତ
କିଛି ଲୋକଙ୍କର ସଂକୀର୍ଣ୍ଣ ସଂଜ୍ଞାରେ
ମୁଁ କୁଆଡେ ପ୍ରତାରକ,
ପ୍ରୀତି ବାଢ଼ିଦେଇ ଦୂରେ ଚାଲିଯାଏ
କରି ହୃଦୟ ରକ୍ତାକ୍ତ
ଗୋଲାପ ସୁନ୍ଦର ସୁରଭି ମଧୁର
କଣ୍ଟକିତ,ଜର୍ଜରିତ
ସେମିତି ମୋ ପାଖେ କଳଙ୍କ ନଥାଇ
ଅଭିଶପ୍ତ ମୁଁ ନିନ୍ଦିତ
ଛଳ କପଟରେ ହିଂସାର ବହ୍ନିରେ
ତୁମ ହୃଦୟ ଲେଲୀହାନ୍,
ଦେଖି ପାରିବନି କଳ୍ପି ପାରିବନି
ମୋ' ରଙ୍ଗ କେଡେ ଗରୀୟାନ୍
ଆସ ଆସ ଥରେ ଛୁଇଁ ଦେଖ ବାରେ
ନରମେ ଆଉ ସରମେ,
ନଇଁଯିବି ସିନା ଝାଉଁଳି ଯିବିନି
ତୁମ ମନ ଉପବନେ
ସ୍ନିଗ୍ଧା ମୁଁ ବାଗ୍ମିତା ପୂର୍ଣ୍ଣ ପବିତ୍ରତା
ମୋ' ଅଙ୍ଗେ ଅଙ୍ଗ ଭୂଷଣ,
ତୁମେ ତ ନିନ୍ଦୁକ ମୁଁ ପ୍ରୀତି ପ୍ରତୀକ
ଅସରା ମୋ' ମିଠାପଣ
ପଦ୍ମ ପାଖୁଡ଼ାର ପରାଗ ରେଣୁରେ
ଭିଜା ଭିଜା ଅନୁରାଗ
ଅଭିମାନ ଆଉ ସ୍ୱାଭିମାନ ନେଇ
ବଞ୍ଚିବା ହିଁ ମୋ ସରାଗ
