ପ୍ରେମ ଗୀତ
ପ୍ରେମ ଗୀତ


ସାଥିମାନେ ମୋର ପଚାରନ୍ତି ହସି
ବଳେଇ ଗଲାଣି ବୟସ
କେମିତି ଲେଖୁଛ ପ୍ରେମ ଗୀତ ଏତେ
ପାଇ କହା ମିଠା ପରସ ?
ଲାଜ ଲାଗୁଅଛି ପ୍ରେମ କାହାଣୀ ମୋ
କାଆଗେ କହିବି କେମିତି
କାହାକଥା ଭାବି ନୂଆନୂଆ ଗୀତ
ଲେଖୁଛି ନିଇତି ଏମିତି ।
କେମିତି ବୁଲୁଛି ଭାବନା ରାଇଜେ
କାହା କଥା ଭାବିଭାବି
କିଏସେ ରୂପସୀ ସପନରେ ଆସେ,
ଆଖିରେ ନାଚେତା ଛବି !
ଆଦ୍ୟ ଯଉବନ ପୁଲକ ସିଏ ମୋ
ପ୍ରିୟା ମୋର ପ୍ରାଣ ସଖୀ  
; ଜୀବନସାଥିମୋ ପାଇଛି ଯାହାକୁ
ସାତଦୀପ ସାକ୍ଷୀ ରଖି।
ଦେହ ସିନା ଏବେ ଅବସ ହେଲାଣି
ମନତ ରଙ୍ଗିଆ ଘୋଡା
ପ୍ରିୟା କଥା ଭାବି ସପନରେ ହଜେ
ବୟସ ହେଲେବି ବୁଢା ।
ପାଖେ ଥିଲେ ନିତି କଥା କଟାକଟି
ଦୂରେ ଗଲେ ମନ ଝୁରେ
ଏକା ରହିବାକୁ ସାହସ ପାଉନି
ଚେଇଁଚେଇଁ ରାତି ସରେ ।
ମାନ ଅଭିମାନ ମୁହଁ ଫୁଲାଫୁଲି
ତଥାପି ଉଛୁଳେ ପ୍ରେମ
ସେଇ ପ୍ରେମ କଥା ଗୀତ ହୋଇଯାଏ
ଇଏତ କବି ର ଧର୍ମ ।