ପ୍ରେମ ଅଢ଼େଇ ଅକ୍ଷର
ପ୍ରେମ ଅଢ଼େଇ ଅକ୍ଷର
ପ୍ରେମ ବୋଲି ଯେଉଁ ଅଢେଇ ଅକ୍ଷର
ଯେତେ ପଢିଲେ ବି ଲାଗେ ନୂଆ,
ଅକୁହା ପୁଲକ ହୃଦୟେ ଭରଇ
ଥରାଇ ଦିଏ ସେ ସଭି ହିଆ ।
ସୁବର୍ଣ୍ଣର ଶତଦଳ ଫୁଟେ ନିତି
ତୋଳି କେହି ତାକୁ ନିଏ ନାହିଁ,
ପରି ରାଇଜର ପକ୍ଷୀ ଘୋଡ଼ା ଚଢ଼ି
ଆସୁଥିବ ତାର ପ୍ରିୟ କାହିଁ ।
ମନ ଉପବନୁ ଆଣିଥିବ କେତେ
ହୀରା ଲିଳା ମୋତି ଉପହାର,
ମର୍ତ୍ତ୍ୟରେ ନୁହେଁ କି ସ୍ବର୍ଗରେ ବି ନୁହେଁ
ତା ପାଇଁ ତୋଳିବ ସ୍ଵପ୍ନ ଘର ।
ଫୁଲ ବିଛଣାରେ ଶୁଆଇବ ତାକୁ
ମଳୟ ପବନ ବହୁଥିବ,
କୋଟି ଚନ୍ଦ୍ର ଜ୍ୟୋତ୍ସ୍ନା ବିଚ୍ଛୁରିତ ହେବ
ତାରା ସବୁ ଲାଜେ ଲୁଚିଯିବ ।
ପ୍ରତି ନିଃଶ୍ୱାସରେ ଅନୁଭବ କରେ
ପ୍ରତି ଧମନୀର ସ୍ରୋତ ସିଏ,
ପ୍ରତି ମୁହୂର୍ତ୍ତରେ ପୁଲକ ଖେଳାଇ
ସାରା ଶରୀରରେ ବହିଯାଏ ।
ଏହି ତ ସେ ପ୍ରେମ ଅସ୍ବାଭାବିକ ସବୁ
ସରଳ ସହଜ ପରି ଲାଗେ,
ଖିଆଲି ମନରେ କେତେ ସେ ଭାବୁଛି
ପ୍ରତି ଭାବନାରେ ସେ ପୁଲକେ ।

