ପର୍ବପର୍ବାଣୀ
ପର୍ବପର୍ବାଣୀ
ପ୍ରତି ଦେଶ ଓ ରାଜ୍ୟରେ ପର୍ବପର୍ବାଣୀ
ପାଳନରେ ଥାଏ ଭିନ୍ନତା,
ନିଜ ଦେଶ ଓ ରାଜ୍ୟର ପର୍ବପର୍ବାଣୀ
ପାଳନରେ ଥାଏ ମହାନତା ।
ପର୍ବପର୍ବାଣୀ ଦିଏ ନୂତନ ଶିକ୍ଷା
ଜଣାଇଦିଏ ସଂସ୍କୃତିର ଗାଥା,
ପ୍ରଥା ପରମ୍ପରାକୁ ଉଜ୍ଜୀବିତ କରି
ଜନ ମାନସରେ ପଠାଏ ବାର୍ତ୍ତା ।
ମାତ୍ର ଆଜିର ବ୍ୟସ୍ତ ବହୁଳ ଜୀବନେ
ଉଜୁଡ଼ି ଗଲାଣି ସଂସ୍କାରର ବାତାବରଣ,
ପର୍ବପର୍ବାଣୀ ତ ଦୂରରେ ଥାଉ
ବାର ତିଥି ପାସୋରାକୁ ନାହିଁ ନିରାକରଣ ।
ବଞ୍ଚାଇ ରଖନ୍ତି କେତେ ପର୍ବ ପର୍ବାଣୀକୁ
ଗ୍ରାମ୍ୟ ଜୀବନେ ଅତିବାହିତ ଜନ,
ସହରୀ ଅଞ୍ଚଳ ଜୀବନ ଯାପନେ
ପରବ ପାଳନକୁ ନଥାଏ ମନ ।
କଟି କଟି ଗଲାଣି ପରବ ତିଥି
ମାଡ଼ି ମାଡ଼ି ଆସିଲାଣି ବହୁ ଦିବସ,
ପଖାଳ ଦିବସ,ମାଣ୍ଡିଆ ଦିବସ
ବହୁ ଦିବସ ଦିନେ ଲାଗେ ସରସ ।
ଦିବସ ପାଳିବା ପରବ ପାଳିବା
ଅଣଦେଖା କିଛି ନ କରିବା,
ସଂସ୍କୃତି ବଞ୍ଚିଲେ,ପ୍ରଥା ବି ବଞ୍ଚିଲେ
ତେବେ ଯାଇ ଭ୍ରାତୃଭାବ ପାଇବା ।