ପରାଗ ରେଣୁ
ପରାଗ ରେଣୁ
ପ୍ରେମ କରେ ସିନା,କରି ପାରିବିକି
ହାରିଯିବା ଅଭିଯାନ !
ରଖି ଚାଲିଛି ମୁଁ, ରଖି ଚାଲିଥିବି
ମୋ' ପୂଜ୍ୟ ପ୍ରେମ ସମ୍ମାନ ।
ଅଭିଯାନ ଶିଳା ଉନ୍ମୁକ୍ତ ମେଖଳା
ମୋ' ପ୍ରେମର ସମ୍ମାନରେ ।
ଶିଳ୍ପୀ ମୁଁ ତାହାର ଭିନ୍ନ କାରିଗର
ଚିତ୍ର ଆଙ୍କେ ସଂଭ୍ରମରେ ।
ମୃଣ୍ମୟୀ ସେ ଚିତ୍ର ଚିନ୍ମୟୀ ପବିତ୍ର
ଅବିକଳ୍ପ ତୁଳନାରେ ।
ପାର୍ଥିବ ମଣିଷ ବୁଝି କି ପାରିବ
ପ୍ରେମ ବି ତପସ୍ୟା କରେ !
ତପସ୍ୟାରେ ପ୍ରେମ ପ୍ରେମରେ ତପସ୍ୟା
ଆତ୍ମ ନୈସର୍ଗିକ ନିଷ୍ଠା ।
ନିଷ୍ଠାରେ ନିଷ୍ଠାରେ ଗଢି ଦେଇଯାଏ
ପ୍ରଜ୍ଞା ପୃଷ୍ଠାରେ ଶର୍ମିଷ୍ଠା ।
ତପସ୍ୟା ନୁହେଁ ଏ ମୁନିଋଷିଙ୍କର
ବନ୍ଧନ ଏ ପ୍ରଣୟର ।
ନାହିଁ ଶକୁନ୍ତଳା ନାହିଁ ବି ଦୁଷ୍ମନ୍ତ
ଅଛି ହୃଦୟର ସ୍ୱର ।
ହୃଦୟ ସ୍ୱରର କୋମଳ ପୃଷ୍ଠାରେ
ପ୍ରେମ ପାଖୁଡା ପ୍ରତିଷ୍ଠ ।
ସେଇ ପାଖୁଡ଼ାର ସିନ୍ଥିରେ ସିନ୍ଥିରେ
ପ୍ରେମ ହୁଏ ସତ୍ୟନିଷ୍ଠ ।
ଜିଣିଛି ମୁଁ ପ୍ରେମ ଅପ୍ରତ୍ୟାଶ ଲଗ୍ନେ
ଈଶ୍ୱରଙ୍କ ବରଦାନ ।
ଯୋଗ୍ୟ ଅଯୋଗ୍ୟତା ଏଠି ଭିତ୍ତିହୀନ
ଭିତ୍ତି ନିଷ୍ଠା ନିବେଦନ ।
ମହତ୍ତର ପ୍ରେମ ହୃଦୟୁ ଉନ୍ମିତ
ପ୍ରସ୍ପୁଟିତ ହୃଦୟରେ ।
ହୃଦୟଟା ଏତେ ଶସ୍ତା ସୁନା ନୁହେଁ
ମିଳେ ବଣିକ ବଜାରେ ।
ଚନ୍ଦନ ଚର୍ଚ୍ଚିତ ତୁଳସୀ ଚିତ୍ରିତ
ପ୍ରେମର ପ୍ରତିଟି ଅଣୁ ।
ନୀରବେ ଗୌରବେ ସ୍ବର୍ଗୀୟ ସୌରଭେ
ସଂକଳ୍ପେ ପରାଗ ରେଣୁ ।
ପରାଗ ରେଣୁର ପ୍ରତି ପାଖୁଡ଼ାରେ
ପ୍ରେମ ସୃଜେ ଭିନ୍ନ ଦ୍ରୁମ ।
ସେଇ ଦ୍ରୁମ ଗର୍ଭ ନିଃସ୍ୱାର୍ଥ ନିର୍ଲୋଭ
ତ୍ୟାଗ ବେଶି ଭୋଗ କମ୍ ।