ପଣା ସଂକ୍ରାନ୍ତି
ପଣା ସଂକ୍ରାନ୍ତି


ଚଉଁରା ଉପରେ ବସୁନ୍ଧରା ଠେକି
ବାନ୍ଧିବା ଆସ ହେ ମିତ,
ବେଲ ପଣା ପିଇ ଗୀତ ଗାଇ ଗାଇ
ଦେଖିଯିବା ଝାମୁ ଯାତ ।
ଘଣ୍ଟ ପାଟୁଆଙ୍କୁ ଜୁହାର ହୋଇବା
ସାରଳା ନାଆଁକୁ ଧରି,
ନୂଆଁ ବରଷକୁ ସ୍ବାଗତ କରିବା
ଆନନ୍ଦ ମଉଜ କରି ।
ଆସିଅଛି ପରା ପ୍ରଥମ ସଂକ୍ରାନ୍ତି
ଗ୍ରୀଷମ ଋତୁକୁ ନେଇ,
ସୂର୍ଯ୍ୟଦେବ ତାପ ବଢାଇବେ ଆଜି
ବିଷୁବ ରେଖାରେ ରହି ।
ଜଗାକୁ ସୁମରି ନୂଆଁ ପାଞ୍ଜି ପୁଣି
ହୋଇବ ଯେ ପ୍ରଚଳନ,
ନୂଆଁ ବରଷର ଶୁଭ ମନାସିବ
ପ୍ରତିଟି ଓଡ଼ିଆ ପ୍ରାଣ ।
ଅଗ୍ନି ଆଉ ବାୟୁ ବେଗ ବଢିଯିବ
ଅସମ୍ଭାଳ ହେବ ଦିନ,
ଦେବତା କୋପରୁ ମୁକତି ଦେବାକୁ
ଜନମିବେ ହନୁମାନ ।
ସାହି ପଡିଶାରେ ପଣା ବାଣ୍ଟିଦେବା
ଗଛରେ ଢାଳିବା ପାଣି,
ଖାଇବାକୁ ଦେବା ପିଇବାକୁ ଦେବା
ତୋଷ ହେବେ ବୁଲା ପ୍ରାଣୀ ।
ସାରା ଜଗତର ମଙ୍ଗଳ ହୋଇଲେ
ନିଜର ମଙ୍ଗଳ ହେବ,
ଓଡ଼ିଆ ସଂସ୍କୃତି ପ୍ରଥା ପରମ୍ପରା
ଦେଶେ ଦେଶେ ଗୁଞ୍ଜରିବ ।