ପଣା ଓ ଛତୁଆ
ପଣା ଓ ଛତୁଆ
ବରଷକୁ ଥରେ ପଡେ ଏ ପରବ
ପଣା ଓ ଛତୁଆ ଜାଣ
ସବୁରି ମନରେ ଭରଇ ଆନନ୍ଦ
ଆଣେ ବରଷ ନୂତନ ॥
ଓଡିଆ ଜାତି ଓ ଜନ ଜୀବନର
ନିଚ୍ଛକ ପ୍ରତିନିଧିତ୍ବ
ସାଜି ଆଜି ଆସିଅଛି ଏ ସଂକ୍ରାନ୍ତି
ପଣା ଓ ଛତୁଆ ପର୍ବ ॥
ଓଡିଆର ଯେତେ ଭାବ ଓ ବିଭାବ
ସଂସ୍କୃତି ରୀତି ନୀତିର
ଜାଜ୍ବଲ୍ଯ ଔଜଲ୍ଯ ପରିବହନର
ସୁପ୍ରକାଶ କରି ଚିର ॥
ବିଷୁବ ସଂକ୍ରାନ୍ତି ଭାବରେ ପାଳନ୍ତି
ଯାହାକୁ ଜନେ ଉଲ୍ଲାସେ
ଏହିଦିନ କେତେ ମଉଜ ଯାତ ଯେ
ପାଳନ୍ତି ଜନେ ହରଷେ ॥
ଓଡିଆଙ୍କ ନୂଆ ବରଷ ଆସଇ
ଆଣି କେତେ ହସ ଖୁସି
ମନ ତୋଷେ ଜନେ ବିଷୁବ ମିଳନେ
ସ୍ବାଗତ କରନ୍ତି ହସି ॥
ପଣା ଓ ଛତୁଆ ସଂକ୍ରାନ୍ତି ନାମେ
ସୁପ୍ରସିଦ୍ଧ ଅଟେ ଯାହା
ପଣା ଛତୁଆରେ ଆପଣାର ଘରେ
କରନ୍ତି ଆଦରେ ତାହା ॥
ପ୍ରିୟଜନେ ଅର୍ପି ପାନ ଓ ଭୋଜନେ
ରତ ପଣା ଓ ଛତୁଆ
ଆହା କେଡେ ମଜା ଲାଗେ ଏହିଦିନ
ପାନ କରିବାକୁ ପଣା ॥
ପକ୍ବ ବେଲ ଆଉ ଚିନି ଓ କଦଳୀ
ବୁନ୍ଦିଆ ଗୋଲମରିଚ
ସୁସ୍ବାଦୁ ସୁ‐ପେୟ ପ୍ରସ୍ତୁତ କରନ୍ତି
ଆହା ! କେଡେ ସୁବାସିତ ॥
ମିଶାନ୍ତି ତହିଁରେ ଅନେକ ଦରବ
ରସଗୋଲା ଛେନାପୋଡ଼
ପ୍ରସ୍ତୁତ ହୁଏ ଯା' କେଡେ ସୁଆଦିଆ
ଫେଣ୍ଟା ଯାଇ ଘୋଳ ଗୁଡ ॥
ସେପରି ଛତୁଆ କେଡେ ସୁଆଦିଆ
ଟକଳା ପାଟିରୁ ଲାଳ
ଠକ ଠକ ହୋଇ ନିକିଳି ଆସଇ
ଚାଖିବା ପାଇଁ ବିକଳ ॥
ହୋଇଥାନ୍ତି ଜନେ ଥରେ ଦେଖିଲେ ଯା'
ଖାଇବାକୁ ବଳେ ମନ
ଛତୁଆ ଅଟେ ତା' ଭଜା ଭୁଜା ଗୁଣ୍ତ
ବୁଟ ମଟରର ଚୂର୍ଣ୍ଣ ॥
ଛତୁଆ ସଂକ୍ରାନ୍ତି ପାଳନ ପାଇଁକି
ଏହିଦିନ ଭକ୍ଷନ୍ତି ସର୍ବେ
ସାରା ଓଡିଶାରେ ମଜ୍ଜି ଯା'ନ୍ତି ଜନେ
ପଣା ଓ ଛତୁଆ ପର୍ବେ ॥
ଏହିଦିନ ଠାରୁ ଗ୍ରୀଷ୍ମର ପ୍ରବେଶ
ବଢେ ଗରମ ଓ ତାପ
ପଣା ପିଇ ଜନେ ତହିଁରୁ ନିସ୍ତାର
ପାଇଁ ପକାଅନ୍ତି ଚାପ ॥
ତୁଳସୀ ମୂଳରେ ଜଳଘଟ ସ୍ଥାପି
ଜଳ ଦିଅନ୍ତି ତାହାକୁ
ଘଟ ତଳେ ଛିଦ୍ର ଦେଇ ସଦା ଜଳ
ପଡେ ବୁକ୍ଷ ଉପରକୁ ॥
ସ୍ବାସ୍ଥ୍ଯ ପାଇଁ ବିଲ୍ବ ବହୁ ଉପକାରୀ
ଶରୀର ଶୀତଳ କରେ
ଅଂଶୁଘାତ ଆଉ ଉତ୍ତପ୍ତ ତାପରୁ
ମଣିଷକୁ ରକ୍ଷା କରେ ॥
ଏଥିପାଇଁ ବିଲ୍ବ ପଣାର ମହତ୍ତ୍ବ
ଅଟେ ବିଜ୍ଞାନସଙ୍ଗତ
ଅବଲୋହିତ ଓ ଅତି ବାଇଗଣୀ
ବିକିରଣୁ ସୁରକ୍ଷିତ ॥
ରଖେ ମଣିଷକୁ ବହୁ ଭାବେ ତାହା
ଉପକାର କରିଥାଏ
ଏଣୁ ଏ ବିଷୁବ ସଂକ୍ରାନ୍ତି ଦିନଠୁଁ
ବେଲପଣା ପିଆଯାଏ ।।

