ପଲ୍ଲୀର ପ୍ରଭାତ
ପଲ୍ଲୀର ପ୍ରଭାତ
ଅଇଲା ସ୍ୱର୍ଣ୍ଣ ସକାଳ, ଅବନୀ ରାଣୀ ମଞ୍ଜୁଳ
ଦଶ ଦିଶ ନିରିମଳ, ବିମଳ କାନ୍ତି।
Qବିଭାବରୀ ହେଲା ଶେଷ,ତିମିର ହୋଇଲା ନାଶ
ଉଭେଇ ଗଲେ ଆକାଶୁ, ତାରକା ପନ୍ତି।
ତରୁଣ ଅରୁଣ କିରଣ,
ସିନ୍ଦୂରା ଫାଟି ଆସିଲା,ପ୍ରାଚୀ ଗଗନ ।୧।
ବିହଙ୍ଗମ ଦଳ ଦଳ, ତେଜିଲେ ନିଡ଼ ସକଳ,
ଆନନ୍ଦେ କରନ୍ତି ରୋଳ,ସେ କୋଳାହଳ
ବହଇ ମନ୍ଦ ପବନ,ପୁଲକିତ ଜନ ମନ
ଦଶଦିଶ ଶୋଭାବନ, ଦିଶେ ମଞ୍ଜୁଳ।
ଯେ' ଯା' କାମେ ହୋଇ ମଗନ,
ନିଜ ନିଜ କର୍ମମାନ କଲେ ଯତନ।୨।
ଚାଷୀ କୁଳ ହରଷରେ,ଚଳିଲେ ନିଜ ଖେତରେ
ସଙ୍ଗତେ ହଳ ଲଙ୍ଗଳ, ଯୋଚି ଯତନ,
ଘରେ କୃଷକ ରମଣୀ,ଦାଣ୍ଡେ ସିଞ୍ଚି ଛଡ଼ାପାଣି
ଝୋଟିଚିତା ଦେଇ ଦ୍ୱାରେ,ଆନନ୍ଦ ମନ।
ତୁଳସୀ ମୂଳେ ଦେଇ ଜଳ,
ନିଜ କାମରେ ଲାଗିଲେ ହରଷଭର।୩।
ବିବିଧ କୁସୁମମାନ, ଫୁଟି ଶୋହେ ଉପବନ
ପ୍ରଜାପତିର ନର୍ତ୍ତନ,ଅଳି ଗୁଞ୍ଜନ,
ମଲ୍ଲୀ,ମାଳତୀ,ମନ୍ଦାର, ଯୂଈ,ଜାଇ,କରବୀର
ଗୋଲାପ,ହେନା,ଟଗର, କି ଶୋଭାବନ
ଜାତି ଜାତି ପୁଷ୍ପସକଳ
ମଧୁପ ମଧୁପାନରେ, ହୋଇ ବିହ୍ବଳ।୪।
ସମ୍ଭୁଆଳେ କମ୍ବୁଧ୍ଵନି , ସୁମଧୁରେ ଶୁଭିଲାଣି
ଉଚ୍ଛୁଳି ପଡ଼େ ମେଦିନୀ, ଶୁଭେ ଓଁକାର
ଘଣ୍ଟ ଘଣ୍ଟି କାହାଳୀର, ସ୍ୱନଟି ଅତି ମଧୁର
ଶୁଭଇ ଆନ ମନ୍ଦିରେ, ହରଷଭର।
କି ମଧୁର ମୃଦୁଳ ତାନ,
ହରିବୋଲ,ହୁଳହୁଳି,ମୃଦଙ୍ଗସ୍ଵନ।୫।
