STORYMIRROR

Krushna Chandra Lenka

Classics Inspirational Children

4  

Krushna Chandra Lenka

Classics Inspirational Children

ପଲ୍ଲୀ ପ୍ରୀତି

ପଲ୍ଲୀ ପ୍ରୀତି

2 mins
432

ମାଳ ମାଳ ଅଟ୍ଟାଳିକା ସୁନ୍ଦର ବଦନ,

ଯେତେ ମୁଁ ଦେଖିଲେ ତାରେ ବୁଝେ ନାହିଁ ମନ।

ଶୀତତାପ ନିୟନ୍ତ୍ରଣ କକ୍ଷେ କରେ ବାସ,

ତଥାପି ଜୀବନେ କାହିଁ ହୁଏନି ମୁଁ ତୋଷ ?

ଭଳି ଭଳି କେତେ ଭଳି ବ୍ୟଞ୍ଜନ ମୁଁ ଭୁଞ୍ଜେ,

କେତେ ଦର୍ଶନୀୟ ଥାନେ ଭ୍ରମେ ନିତି ସଞ୍ଜେ ।

ସମୟ ବିତଇ ନିତି ନବ ସଖା ମେଳେ,

କିମ୍ପାଇଁ ଚିତ୍ତ ବଦନ ତୋଷ ନୁହେଁ ତିଳେ?

ନିରିମଳ ପରିବେଶେ ନାହିଁ ଧୂଳି ମଳି,

ରଙ୍ଗୀନ ଆଲୋକ ଯହିଁ ଦିଶେ ଭଳି ଭଳି।

ଦିନ ରାତି ଏକ ସମ ଲାଗେ ଯହିଁ ସଦା,

ଜଞ୍ଜାଳେ ସଭିଏଁ ଏଠି ହୋଇଥା'ନ୍ତି ବନ୍ଧା।

ଥଟ୍ଟା, ପରିହାସ ଗପେ ନଥାଏ କା' ବେଳ,

ସୁଖେ ଦୁଃଖେ ନିତି ପେଟ ପୋଷନ୍ତି ସକଳ।

ବିକାଶର ଧାରା ଯହିଁ ବହୁଥାଏ ନିତି,

ସତେ କି ସେ'ଥାନ ମରତ୍ତେ ଅମରାବତୀ !

ଏମନ୍ତ ବିଭବ ପୂର୍ଣ୍ଣ ସୁନ୍ଦର ନଗର,

ତଥାପି ସେ କାହିଁ ଲାଗେ ମତେ ସ୍ୱାର୍ଥପର?

ଯେମନ୍ତ ସୁନ୍ଦର ଥାନ ଦେଖିଲି ଜୀବନେ,

ସେ ଗାଆଁ ଛବିଟି ମାତ୍ର ଭାସୁଛି ନୟନେ।

ଯେ'ଥାନେ ଭ୍ରମିଲେ ଯେତେ ପଡେ ତାହା ମନେ,

ସତେକି ପରାଣ ମୋର ଅଛି ସେହି ଥାନେ !

ତିଳେ ମୁଁ ଦେଖିଲେ ତାରେ ଭରଇ ଉଦର,

ଯେତେ କ୍ଳେଶ, ଯାତନା ମୋ ଆପେ ହୁଏ ଦୂର।

ଜୀବନେ ଯାତ ପରବ ଦେଖିଚି ମୁଁ କେତେ,

ସେ ଗାଆଁ ପରବ କାହିଁ ଭଲ ଲାଗେ ଏତେ !

ଏ ନଗର ପରି ସେଠି ନଥାଏ ବିକାଶ,

ମାତ୍ର ତାହା ଜିଣିଥାଏ ସବୁରି ବିଶ୍ୱାସ ।

ଝାଟି ମାଟି ଗୃହେ ସିନା ଥା'ନ୍ତି ଗାଆଁ ଜନେ,

ମଣିଷ ପଣିଆ ଭରି ଥାଏ ତା' ଜୀବନେ ।

ସୁଖେ, ଦୁଃଖେ, ଶୋକେ ଅବା ବିପତ୍ତିର ବେଳେ,

ଠିଆ ହୋଇ ହ୍ୱନ୍ତି ସାହା ଗ୍ରାମେ ସେହି କାଳେ ।

ଗୋରୁପଲ ନିତି ଯହିଁ ଫେରେ ନିଶାମୁଖେ,

ଖଗ ଦଳ ଫେରିଯା'ନ୍ତି ବସା ମୁଖେ ସୁଖେ ।

ଦେବାଳୟେ ଶଙ୍ଖ, ଘଣ୍ଟ ବାଜଇ ପ୍ରଦୋଷେ,

ସେ'ତାନ ଶୁଭଇ କାନେ ନିତି ମୋର ପାଶେ ।

ଗାଆଁ ଚାନ୍ଦିନୀର ପାଶେ ଶୀତଳ ପବନ,

ଛୁଇଁଥାଏ ନିତି ଯାହା ପରାଣ ବଦନ।

ଭ୍ରମଣ କରିଛି ମୁହିଁ କେତେ କେତେ ଥାନ,

ପାଇ ନାହିଁ ତିଳେ କାହିଁ ତା'ସମ ସମାନ।

ସେ ଗାଆଁ ସୁନ୍ଦର ଦିଶେ ଶସ୍ୟ ପୂର୍ଣ୍ଣ କ୍ଷେତେ,

ଧାନ, ଆଖୁ, ମୁଗ, ବିରି ଫଳେ ସୁନା କେତେ।

ସେ'ଥାନର ଚଷା ନିତି ଖଟି ତାର କ୍ଷେତେ,

ଚିର କାଳେ ଆହାର ସେ ଯୋଗାଏ ଜଗତେ।

ଭଳି ଭଳି ଫୁଲ, ଫଳ ଫଳିଥାଏ ଯହିଁ,

ସେ'ଫୁଲ ମହକ ତିଳେ ମିଳେ ଅବା କାହିଁ?

ଗାଆଁ ଦାଣ୍ଡ ଧୂଳି ଖେଳ ଭାଳି ହୁଏ ମନେ,

ବୋଳି ହୋଇ ବଢିଛି ମୁଁ ଯା'ର କୋଳେ ଦିନେ।

ଶେଷ ଇଛା ସେହି ଥାନେ ମୋ ଜୀବନ ଯାଉ,

ସେ'ଗାଆଁ ଶ୍ମଶାନ କୋଳେ ସମାଧି ମୋ ହେଉ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics