ପିତାମାତା ଚଳନ୍ତି ଠାକୁର
ପିତାମାତା ଚଳନ୍ତି ଠାକୁର
ଦେଉଳେ ଦେଉଳେ କାଠ ପାଷାଣର
ଦେବଦେବୀ ପୂଜା କଲି
ବର୍ଷ ବର୍ଷ ଧରି ଜଳ ଢାଳି ଢାଳି
କିଛି ଫଳ ନପାଇଲି |
କୁମ୍ଭମେଳା ଗଲି ଗଙ୍ଗା ସ୍ନାନ କଲି
ଗଲି କାଶୀ ବୃନ୍ଦାବନ
ବୁଲି ଚାରିଧାମ ଭାରତ ଭ୍ରମଣ
କଲି ତୀର୍ଥ ପର୍ଯ୍ୟଟନ |
ଜପ ତପ ଦାନ ଶାସ୍ତ୍ର ଅଧ୍ୟୟନ
କଲି ବ୍ରତ ଉପବାସ
ସତସଙ୍ଗ କଲି ସାଧୁ ସେବା କଲି
ନପୂରିଲା ଅଭିଳାଷ |
ଜଳ ଛତ୍ର ଦେଲି ପାରାୟଣ କଲି
କଲି ଯଜ୍ଞ ଅନ୍ନଦାନ
ଯେତେ ଯାହା କଲି ଫଳ ନପାଇଲି
ସବୁ ହେଲା ଅକାରଣ |
ଏତେ କଲା ପରେ ପଡ଼ିଲା ମନରେ
ଗୁରୁଜୀଙ୍କ ପଦେ କଥା
ପିତାମାତା ପରା ଚଳନ୍ତି ଠାକୁର
ତାଙ୍କ ପଦେ ଦିଅ ମଥା |
ଭ୍ରମ ଗଲା ଛାଡ଼ି ଆସିଲି ଦଉଡ଼ି
ପୂଜିଲି ମୋ ପିତା ମାତା
ପଦ ସେବା କଲି ପ୍ରସାଦ ଅର୍ପିଲି
କଲି ତାଙ୍କ ହିତ ଚିନ୍ତା |
ଶତ ଆଶୀର୍ବାଦ ପୀୟୂଷ ପୟୋଦ
ଢାଳି ଦେଲେ ମୋର ଶିରେ
ସୁଖ ଗନ୍ତାଘର ଛିଣ୍ଡି କି ପଡ଼ିଲା
ମୋ ଅଭାବୀ କୁଟୀରରେ |
ଚାକିରୀ ମିଳିଲା ବାନ୍ଧବୀ ମିଳିଲା
ସୁତା ସୁତ ପରିବାର
ସ୍ୱର୍ଗ ପରି ଘର ଝଲସି ଉଠିଲା
ଖେଳିଲା ଖୁସି ଲହର |
ପିତା ମାତା ଠାରୁ କିଏ ଅଛି ଗରୁ
ସେ ତ ପିଣ୍ଡର କାରଣ
ମାତା ପୃଥ୍ଵୀ ଠାରୁ ଅଟନ୍ତି ଯେ ଗରୁ
ପିତା ସ୍ଵର୍ଗୁ ଗରୀୟାନ |
ପିତା ମାତା ସେବା ପାଇଁ ମନ ଦେବା
ଆନେ ନାହିଁ ପ୍ରୟୋଜନ
ଏ ଯୁଗ ଶିକ୍ଷିତ ଶିକ୍ଷିତା ସମାଜେ
ଏଇ ମୋର ନିବେଦନ ||
