ପିତା ମାତାଙ୍କ ସମ୍ପର୍କ
ପିତା ମାତାଙ୍କ ସମ୍ପର୍କ
ଏ ଜୀବନ ବଡ଼ ମିଳିଛି ଏବେ କରି କିଛି ପୁଣ୍ୟ,
ପାଇଛେ ଏହାକୁ, ସେ ତ ଅଟେ ପିତା, ମାତାଙ୍କର ଦାନ ।
ନଅ ମାସ ଗର୍ଭେ ଧରି ମାତା ପାଇଛି ଅନେକ କଷଣ,
ସହି ସବୁ କିଛି ବଡ଼ ଯତନେ ଧରିଛି ଦେଇ ମନ ପ୍ରାଣ ।
ପିତା ସଦା ସଙ୍ଗେ ରହି ମାତାଙ୍କ ପାଖରେ,
ସାହସ ଓ ଶକ୍ତି ବଢ଼ାନ୍ତି ବଡ଼ ଆଦରରେ ।
ଯେବେ ମାତା ଜନମ ଦିଅନ୍ତି ନଅ ମାସ ପରେ,
ପିତା ତ ସ୍ମରନ୍ତି ପ୍ରଭୁଙ୍କୁ ବଡ଼ ଆକୁଳ ଅନ୍ତରେ ।
ଦେଖି ନିଜ ନବଜାତ ସନ୍ତାନର ସୁନ୍ଦର ମୁଖ,
ଆନନ୍ଦେ ଅଧୀର ହୁଅନ୍ତି ପିତା ମାତା ଭୁଲି ସବୁ ଦୁଃଖ ।
ଏନ୍ତୁଡ଼ିଶାଳ ରେ ରହି ମାତା ନିଅନ୍ତି ବଡ଼ ଯତନ,
ଦୂରେ ରହି ପିତା ସଦା କରନ୍ତି ସନ୍ତାନ ମୁଖ ଦର୍ଶନ ।
ସମୟ ର ସାଥେ ଯେବେ ସନ୍ତାନ ବି ବଢି ଚାଲେ,
ପିତା ମାତା ଙ୍କର ହାତ ଧରି ଠୁକୁ ଠୁକୁ ଭଲେ ।
ରହିଥାଏ ସଦା ସେ ତ ମାତାଙ୍କ ପଣତ କାନି ତଳେ,
ପଛେ ପଛେ ଜଗିଥାଏ ପିତା ହୋଇ ଛାଇ ତୁଲେ ।
ପ୍ରଥମ ଗୁରୁ ସାଜି ପିତା ମାତା ଦେଇଥାନ୍ତି ଶିକ୍ଷା,
ସଦା ଢାଲ ହୋଇ ବିପଦ ଆପଦୁ କରନ୍ତି ରକ୍ଷା ।
ମାତା ର ମମତା ରେ କେବେ କିଛି ସ୍ୱାର୍ଥ ନ ଥାଏ ରହି,
ହୃଦୟ ତାର ବ୍ୟାକୁଳ ସଦା ସନ୍ତାନ ର ସୁଖ ପାଇଁ ।
ପିତା ତ ସଦା ଚାହେଁ ଦେଖିବାକୁ ସନ୍ତାନ ମୁଖେ ହସ,
ନିଜେ ଜଳି ସେଥିପାଇଁ ସଦା ଲୁଟାଏ ତା ସର୍ବସ୍ୱ ।
ପିତା ମାତା ଦୁହେଁ ମିଶି ଦେଖନ୍ତି ସନ୍ତାନ ପାଇଁ ସୁନ୍ଦର ସପନ,
ସେଥିପାଇଁ କରନ୍ତି ସଂଘର୍ଷ ଦୁନିୟାରେ ସେ ଆଜୀବନ ।
ବଡ଼ ହୋଇ ସନ୍ତାନ, ଶିକ୍ଷା ବଳେ ଦେଖେ ନୂତନ ସପନ,
କର୍ମ କରି ମାଡିଚାଲେ ସଫଳତା ପ୍ରାପ୍ତି ର କାରଣ ।
ଯେତେ ଦୂରେ ଗଲେ ବି ସେ, ଦେଖୁଥାଏ ସଦା ପିତା ମାତା ଙ୍କର ନୟନ,
ସେ ମମତା ଓ ସ୍ନେହ ର ସମ୍ପର୍କ ଅତୁଟ, ସେ ତ ତାଙ୍କରି ସନ୍ତାନ ।
ନଦୀ ସମ ଗଡି ଚାଲେ ସନ୍ତାନ ର କର୍ମ ର ଚକ,
ଘାରେ ତାକୁ ନିଶା ସ୍ୱପ୍ନର, ହରାଏ ବି ସେ ବିବେକ ।
ସେ ନିଶା ରେ ମତୁଆଲା ହୋଇ ଯେବେ ଭୁଲେ ଏ ସମ୍ପର୍କ,
ଶୁଭେ ନାହିଁ ତାକୁ ଆଉ ପିତା ମାତା ଙ୍କର ସ୍ନେହର ଡ଼ାକ ।
ତଥାପି ଦୂରେ ଥାଇ ପିତା ମାତା ଦିଅନ୍ତି ଅନେକ ଆଶିଷ,
ନ ଧରନ୍ତି କେବେ ସେ ନିଜ ସନ୍ତାନର କିଛି ଦୋଷ.
କେହି କେହି ପହଞ୍ଚି ବି ଜୀବନର ସଫଳତା ର ଶୀର୍ଷରେ,
ରହନ୍ତି ୠଣୀ ହୋଇ ସଦା ପିତା ମାତା ଙ୍କ ସ୍ନେହ ବନ୍ଧନରେ ।
ବନ୍ଦନ୍ତି ସଦା ପିତା ମାତା ଙ୍କୁ ଦେଇ ଶ୍ରଦ୍ଧା ଓ ସମ୍ମାନ,
ମାନନ୍ତି ତାଙ୍କୁ ସଦା ସେ ନର ରୂପେ ନାରାୟଣ ।
ସନ୍ତାନ ର ମତି ଗତି ହୋଇପାରେ କେବେ ଭିନ୍ନ ଭିନ୍ନ,
କିନ୍ତୁ ପିତା ମାତା ହୃଦୟେ ସଦା ଥାଏ ତାଙ୍କ ପାଇଁ ସ୍ଥାନ ।
ଚଞ୍ଚଳ ଓ ବ୍ୟଗ୍ର ହୋଇ ଧାବନ୍ତି ସନ୍ତାନ ନଦୀ ଧାର ହୋଇ,
କିନ୍ତୁ, ପିତା ମାତା ଙ୍କ ସମ୍ପର୍କ ଥାଏ ନଦୀତୀର ସମ ହୋଇ ସ୍ଥାଇ ।।