ପିଲାମାନେ
ପିଲାମାନେ
ପିଲାମାନେ ପରା ନିଷ୍ପାପ ନିରୀହ
ଛନ୍ଦ କପଟ ଠୁ ଦୂରେ
ମନ ନିରିମଳ କଥା ଗଙ୍ଗା ଜଳ
ହସି ଦେଲେ ମନ ପୁରେ ।
ମନ ପରିସ୍କାର ହୃଦୟ ନିର୍ମଳ
ହିଂସା ଦ୍ଵେଷ ଠାରୁ ଦୂରେ
ସରଳ କଥାରେ ତରଳେ ହୃଦୟ
ତା ପରଶେ ଦୁଃଖ ହଜେ ।
ଆସନ୍ତା ଦିନର ନିର୍ମାତା ସେମାନେ
କଞ୍ଚା ମାଟି ଭଳି ସ୍ଥିତି
ଯେମିତି ଗଢିବା ସେମିତି ହେବେ ସେ
ଆମ ହାତେ ତାଙ୍କ ଭିତ୍ତି ।
ପିଲାମାନେ ପରା ଇଶ୍ଵର ସୃଷ୍ଟିର
କାନ୍ତ କମନୀୟ ରୂପ
ଆବିଳତା ଶୂନ୍ୟ ପିଲାଙ୍କ ହୃଦୟେ
ପ୍ରଭୁ କରିଥାନ୍ତି ବାସ ।
ଏ ଦୁନିଆ ଏକ ସୁନ୍ଦର ବଗିଚା
ପିଲାମାନେ ଫୁଲ କଢ଼ି
ଭଲ ପାଇବାର ଖତ ସାର ଦେଇ
ଯତନେ ଦେବା ବଢାଇ ।
ପିଲାମାନେ ପରା ଆମ ଭବିଷ୍ୟତ
ଦେଶର ବି ଭବିଷ୍ୟତ
ଶିକ୍ଷା ଓ ସଂସ୍କାର ଯୁଗଳ ବନ୍ଦୀରେ
ଜୀବନ ହେଉ ସମୃଦ୍ଧ ।
ପିଲାମାନଙ୍କର ହୃଦୟ ଜମି ଯେ
ଅଟଇ ଅତି ଉର୍ବର
ଯାହା ବୁଣି ଦେବା ତାହା ହିଁ ଫଳିବ
ଏହା ଅଟେ ସ୍ଵତଃ ସିଦ୍ଧ ।
ସଂସ୍କାର ଘରୁ ଯେ ସ୍ନେହ ଦୟା କ୍ଷମା
ତ୍ୟାଗର ମଞ୍ଜି ଆଣିବା
ପିଲା ମାନଙ୍କର ହୃଦୟ ଜମିରେ
ରୋପଣ ଯେ କରିଦେବା ।
ଭଲ ପାଇବାର ସାର ଦେଇ ଆମେ
ସ୍ନେହରେ ଯତ୍ନ କରିବା
ପ୍ରତିଟି ଡାଳରେ ଫୁଲ ଫୁଟି ପୁଣି
ସୌନ୍ଦର୍ଯ୍ୟ ଭରିବ ଧରା ।
ଉଚ୍ଚାରଣେ ଖାଲି ଶିକ୍ଷା ଦେବା ନାହିଁ
ଆଚରଣେ ଆକର୍ଷିବା
ମନ ଗହନରେ ପ୍ରଶ୍ନର ଉତ୍ତର
ଖୋଜି ତାଙ୍କୁ ଆମେ ଦେବା ।
ପ୍ରେମର ପରଶେ କଳି ହେବ ଫୁଲ
ସୁବାସ ଚହଟି ଯିବ
ସେଇ ସୁବାସରେ ଘର ଓ ବାହାର
ସବୁ ମହକି ଉଠିବ ।