ପିଲାଦିନ
ପିଲାଦିନ
କେତେ ଭଲ ଥିଲା ପିଲାଦିନ
କେତେ ଭଲ ଥିଲା ଆମ ପିଲାଦିନ ।
ଗେଲ ସ୍ନେହସବୁ ଲାଗୁଥିଲା ଅସରନ୍ତି ଅସୁମାରି
ଖେଳିବା ଶୋଇବା ଥିଲା ନିହାତି ଜରୁରୀ ।
ଦରୋଟି ହସରେ ଚମକୁଥିଲା ଅଗଣା
ଚହଟୁ ଥିଲା ଚଉପାଟି
କକା-କାକୀ -ଆଈ
ଅଜା-ଜେଜେ-ବୋଇ
କାଖେଇ କୋଳେଇ
ଗୁଣୁଗୁଣୁ ଗୀତ ଗାଇ
ଗପ ଢଗ କୁହେଇ ଶୁଣେଇ ।
ମଣୁଥିଲେ ଆମକୁ ନୟନର ତାରା
ସୁଖର ପସରା
ଲାଗୁଥିଲା ସ୍ଵପ୍ନିଳ ଦିନସବୁ ସରୁନି
ହସର କିଆରିରେ ଖୁସିର ସୁନେଲି ଫସଲ
କାଟିବାକୁ --ଖୁଣ୍ଟିବାକୁ --ସାଉଣ୍ଟିବାକୁ ---।
କେତେ ଦୁଃଖଭରା ଏକବିଂଶ ଶତାବ୍ଦୀର ଦିନ
କେତେ କୋହଭରା ବ୍ଯସ୍ତବହୁଳ ଜୀବନ ।
ବିଫଳତାର ଚିନ୍ତାସବୁ ମୁଣ୍ଡପିଟନ୍ତି ଦୁଃଖର ସାଗର କୂଳେ
କିନାରା ମିଳେନା କିନ୍ତୁ କୁହୁଡି ପହଁରା ଚାଲେ ତାଳେ ତାଳେ ।
ହସିବାକୁ ମନକରେନା
ବାଣ୍ଟିବାକୁ ଆତ୍ମୀୟ ମିଳେନା
ନିରୋଳା ସମୟ କାହିଁ ବହେ କାନ୍ଦିବାକୁ
ଅକୁହା ବେଦନାକୁ ବୋହିଯିବାକୁ
ମନକୁ ହାଲୁକା କରିବାକୁ ।
ବ୍ୟସ୍ତତାର ମାୟାଜାଲ ରଖୁଛି ଆମକୁ ଘୋଡେଇ
ତେଲ - ଲୁଣର ଜଞ୍ଜାଳ ରଖୁଛି ଆମକୁ ଡୁବେଇ
ଦିନ ପରେ ରାତି
ସଞ୍ଜ ପରେ ତାତି
ଅହରହ ଚେଷ୍ଟା ଚାଲିଛି ସୁଖର ସାଗର ମନ୍ଥନ
ପ୍ରୀତି- ପ୍ରଶାନ୍ତି -ପ୍ରଗତିର ଖୋଳପା ଛେଦନ
ମାତ୍ର ! କାହିଁ ସେ
କ'ଣ ତା'ର ଠିକଣା
କିଏ କହିଦେବ ----
ତେଣୁ ବେଳେ ବେଳେ ମନେପଡେ
କେତେ ଭଲ ଥିଲା ପିଲାଦିନ
କେତେ ଭଲ ଥିଲା ଆମ ପିଲାଦିନ ।