ଫୁଲଟିଏ ମୋତେ
ଫୁଲଟିଏ ମୋତେ
ଫୁଲଟିଏ ମୋତେ କରହେ ଠାକୁର
ପାଦତଳେ ତୁମ ଥିବି ,
ସେ ଫୁଲରେ ପୁଣି ମାଳାଟିଏ ହୋଇ
ଗଳାରେ ମୁଁ ଝୁଲୁଥିବି । ।
କେଡେ ସରାଗରେ ମାଳୀ ବଗିଚାରେ
ହୋଇଥିବି ପ୍ରସ୍ଫୁଠିତ,
ଯତନରେ ମାଳୀ ମୋତେ ନେଇ ତୋଳି
ବଜାରରେ ଉପଗତ ।।
ଫୁଲ ତୋଳି ମାଳୀ ହାଟରେ ବିକିବ
ପସରା ମେଳାଇ ଦେଇ ।
କାହା ଭାଗ୍ୟରେ ମୁଁ ଥିବି ସେତେବେଳେ
କିଏବା ପାରିବ କହି ।।
କେତେବେଳେ ମୋତେ କିଏ ନେଇ ଯିବ
ଏକଥା ନ ପାରେ ଭାବି,
ଶବ ପରେ କିମ୍ବା ନେତା ପାଦତଳେ
ଅବା ମୁହିଁ ଗଡିଯିବି ।।
ତେଣୁ ମନେ ମୋର ଦୁଃଖ ହୁଏ ଘୋର
ହୃଦେ ଭାବି ସେହି କଥା,
କେବେ ହେବି ଫୁଲ ତୁମ୍ଭ ଅଗଣାରେ
ମୋ ଭାଗ୍ୟରେ କାହିଁ ଲେଖା । ।
କାହିଁ କେତେ ଭାଗ୍ୟ ଅଟେସେ ଫୁଲର
ସାଜେ ତୁମ୍ଭ ମସ୍ତକରେ,
ମୁଁ ହୀନ ଅଭାଗା କାଇଁ ସେଇ ଭାଗ୍ୟ
ଲେଖା ମୋର କପାଳରେ । ।
ଆହେ ଦୀନନାଥ ଅନାଥର ନାଥ
ବାରେ ଦୁଃଖ ଶୁଣ ମୋର,
ଫୁଲଟିଏ କର ତୁମ୍ଭ ଅଗଣାର
ନିବେଦନ ପାଦେ ତୋର ।।
