ଫୁଲ ଚାଙ୍ଗୁଡି
ଫୁଲ ଚାଙ୍ଗୁଡି
ଜହ୍ନଠୁ ଫୁଲେଇ ଫଗୁଣରେ ପ୍ରିୟା
ଚାଲି ରାଜହଂସୀ ପରି
ମନ ଆକାଶରେ କରେ ବିଚରଣ
ଚାଙ୍ଗୁଡିରେ ଫୁଲ ଭରି ।
ଗୋଲଗାଲ ମୁହଁ ଡଉଲଡାଉଲ
ଦିଶଇ ଭାରି ସୁନ୍ଦର
ବୋଳି ହୋଇଥାଏ ସରାଗେ ତା ମୁହେଁ
ଅବିର ନାନା ରଙ୍ଗର ।
ସିନ୍ଦୂର ଲୋହିତ ରଙ୍ଗେ ତାର ମୁହଁ
ଉଜ୍ଜ୍ୱଳେ ସେନେହ ପ୍ରେମେ
ଶ୍ୟାମ ସବୁଜିମା ଜୀବନ ଆନନ୍ଦ
ନୀଳ ନୀଳିମାକୁ ଜିଣେ ।
>
ଚନ୍ଦନ ସୁବାସ ବାସେ ମହମହ
ଝରେ ପ୍ରୀତି ସୁଧା ମଧୁ
କୋକିଳ କଣ୍ଠରେ ଶୁଭେ କୁହୁ ତାନ
ଉଦେ ସତେ ପୂର୍ଣ୍ଣ ଇନ୍ଦୁ ।
ଶୋଭେ ଆମ୍ରକୁଞ୍ଜ ବଉଳର ବାସ୍ନା
ଯୂଇ ଯାଈ ମଲ୍ଲୀ ହେନା
ହଳଦୀ ବସନ୍ତ ସମ୍ଭାଷେ ମଧୁର
ପ୍ରିୟ ପ୍ରିୟା ଆନମନା ।
ମଧୁ ବସନ୍ତରେ ବରଷେ ଅମୃତ
ରାଧାକୃଷ୍ଣ ପ୍ରେମ ଡୋରି
ମଧୁର ସମ୍ପର୍କେ ହୁଅନ୍ତି ଆବଦ୍ଧ
ସାଥି ବନ୍ଧୁ କୋଳାକୋଳି ।
-----------