STORYMIRROR

SOUBHAGYABATI GIRI

Drama Inspirational Children

3  

SOUBHAGYABATI GIRI

Drama Inspirational Children

ଫରକ୍

ଫରକ୍

1 min
256


ମା' ଆଉ ମୁଁ ଠିଆ ହେଇଥିଲୁ।

ମା' ବୁଲିପଡି ଚାହିଁଦେଲେ ତାଙ୍କ ପିଲାଦିନ ଆଡକୁ।

ଦେଖିଲେ ତାଙ୍କ ଧୂଳିଘର,ସଢେଇରେ ଭାତରନ୍ଧା,ବୋହୂଚୋରୀ ଆଉ ଖପରାଡିଆଁ ଖେଳ,

ଆମ୍ବଛେଚା,କଇଁଆଖଟା,ଲେମ୍ବୁଝୋଳ କରି ଖାଉଥିବା ତାଙ୍କର ସେ ସାଙ୍ଗମେଳ,

ସେ ରଜଦୋଳି,ଖୁଦୁରୁକୁଣୀ ଓଷାରେ ରାତିରୁ ଫୁଲତୋଳା ପୁଣି ଜହ୍ନିଓଷା,

ତାଙ୍କ ଜେଜେମା' ଠୁ ନିଇତି ଶୁଣୁଥିବା ବୁଢୀ ଅସୁରୁଣୀ,ରାଜାପୁଅ ଆଉ ସାହାଡା ସୁନ୍ଦରୀ ଗପ,

ସାଙ୍ଗମାନଙ୍କ ସହିତ ସଙ୍ଗାତ ଆଉ ବଉଳ ବସିବା,

କଟି ଦେଇ ମୁହଁ ଫୁଲାଫୁଲି ପୁଣି ମିଟି ଦେଇ କେତେ କୋଳାକୋଳି

କେତେ ସୁନ୍ଦର ଦିଶୁଥିଲା ସତେ।


ମୁଁ ବି ବୁଲିପଡି ଚାହିଁଦେଲି ମୋ ପିଲାଦିନ ଆଡକୁ।

ଭିଡିଓ ଗେମ୍ ଆଉ ୱାଟର୍ ଗେମ୍ ଟା ସୋଫା ଉପରେ ପଡିଥିଲା,

ଚେସ୍ ବୋର୍ଡ ଟା ଗୋଟି ଗୁଡାକୁ ସାଙ୍ଗରେ ନେଇ ରହୁଥିଲା ମୋ ବହିଥାକରେ,

କ୍ୟାରମ୍ ବୋର୍ଡଟା ଖଟସନ୍ଧିରେ ଡେରା ହେଇଥିଲା,

ପାଠ ବେଶୀ ହେବା ପାଇଁ ବହି ଭିତରେ ମୟୂରପକ୍ଷୀଟାକୁ ଚାଉଳ ଦିଆ ହେଇ ରଖାହେଇଥିଲା,

କିଛି ପିଲା ସ୍କୁଲ୍ ରେ ମାଡ ନ ଖାଇବା ପାଇଁ ରାସ୍ତାକଡରେ ଠିଆ ହେଇ ଖଜୁରୀ ପତ୍ରରେ ଗଣ୍ଠି ପକଉଥିଲେ,

ଜଣେ କଙ୍କିଟେ ଧରିଥିବା ବେଳେ ଆଉଜଣେ ଚିଲଉଥିଲା "କଙ୍କି ଧରଣ ମା' ମରଣ",

ଜଣେ ଅସାବଧାନତାବଶତଃ ମଞ୍ଜିଟିଏ ଗିଳି ଦେଇଥିବାରୁ ପେଟରେ ଗଛ ଉଠିବା ଭୟରେ ଥରୁଥିଲା,

ସେଦିନ ଖରାବର୍ଷା ଏକାବେଳେ ହେଉଥିବାରୁ ବିଲୁଆନନା ବାହାଘର ପାଇଁ ପ୍ରସ୍ତୁତ ହେଉଥିଲା,

କଭର୍ ଦିଆ କୋଣାର୍କ ଟିଭି ଭିତରୁ ଶକ୍ତିମାନ୍ ହାତ ଠାରି ଡାକୁଥିଲା,

ବାସ୍ ସେତିକି।

ସେତିକି ଦେଖି ମୁଁ ଭାବୁଥିଲି ମା' ଙ୍କର ଆଉ ମୋର ପିଲାଦିନ ଭିତରେ ଆକାଶ ପାତାଳର ଫରକ୍।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama