ଫମ୍ପା ପ୍ରଭାରୀ
ଫମ୍ପା ପ୍ରଭାରୀ


ସମୟ କେଡ଼େ ନିଷ୍ଠୁର ନିଦା ପଥର
ତୁମ ପାଇଁ ରସଗୋଲା ନରମ
ଆମ ପାଇଁ ଅଗ୍ନି ଗରଳ ଉପସମ
କ୍ରୀଡନକ ପରି ଖାଏ ଗୋଇଠା ପାହାର ।
ମନେପଡ଼େ ଶୁଭ ବିବାହର ମଙ୍ଗଳ ବେଳ
ଶଙ୍ଖ ହୁଳୁହୁଳି ଫୁଲମାଳ
ଶୁଭ ସହାନାଇ ହାତଗଣ୍ଠି ମେଳ
ତୁମେ ଓ ମୁଁ ହେଲେ ପୁଅ-ଝିଅ ରୁ
ସ୍ୱାମୀ -ସ୍ତ୍ରୀ ଅଦଳ ବଦଳ ।
କୁହୁକିନି ବାସନ୍ତି ପ୍ରହର ଚାମର ଧରି
ପ୍ରେମ ପ୍ରଣୟରେ କପୋତ-କପୋତୀ
ଯୁଗଳବନ୍ଦୀରେ ଛନ୍ଦା ମନ ମୂରତୀ
ବାପା-ବୋଉ ହେଲେ ଦୁଇ ବରଷରେ
କଅଁଳା ଆତ୍ମଜ ର କୁଆଁ କୁଆଁ ସାରି ।
ଘର ରୋଷେଇରେ ଲକ୍ଷ୍ମୀ ଠାକୁରାଣୀ
ଆଗତ ଅଭ୍ୟାଗତ ପାଇଁ ମାଲିକାଣି
ଅଣ୍ଟାରେ ଖୋସି ଚାବି ପେନ୍ଥା ଘରଣୀ ରାଣୀ
ଆଇନ ଚଳେଭଲ ତୁମେ ଦିଗ ବାରେଣୀ ।
ଘର ଛାଡିଲେ ଚାକିରି ରୋଜଗାର ପାଇଁ
ଶନିବାର ହେଲେ ଘରମୁହାଁ ହାଇଁ ପାଇଁ
ଦୁଇ ଛାତିର ମେଳେ
ରାତିର କୋଳେ ଶୋଇ
ବାପା ଦାୟିତ୍ଵ କାନ୍ଧେଇ ସୋମବାରେ ଧାଇଁ ।
ପୁଅ ବଢିଲା ଗୁରୁଣ୍ଡି ଗୁରୁଣ୍ଡି ଚାଲିଲା ପଡିଲା
ଧୂଳି ଧୂସରୀତ ଅଙ୍ଗ ଶରୀର
ମାଟି ଖାଇଲା ହସିଲା ହିରୋ
ତୁମେ ମମତାମୟୀ ଯଶୋଦା ମା'
କର୍ମ-ଜଞ୍ଜାଳରେ ଚପା ପିତା ବନିଲି ।
ଖେ
ଳ ସାଙ୍ଗମେଳ କଳି ତଳରାଳ ନିଇତି
ଖଣ୍ଡିଆ ଖାବରା ମଲମ ପଟି ବାନ୍ଧିଲ
ସ୍ନେହମୟୀ ଦୟାମୟୀ ମହନୀୟା ଜନନୀ ହେଲ
କଠୋର ପାମର ରାଗି ପିତୃଦେବ ମତି ।
କ୍ଷମାମୟୀ ମା'ରୁ ସାଙ୍ଗ ଅନୁରଂଗ ଆତ୍ମୀୟ
ଛପେଇଲ ଦୋଷ ଦୁଃର୍ଗୁଣ ଷୋହଳ ପଣ
ସ୍ନେହ କରୁଣାର ଛଳଛଳ ବେଉଷଣ
କଡ଼ାମୂର୍ତ୍ତି ନିଦାବିଷ୍ଣୁ ଚାପଡ଼ ମାରିବା ପ୍ରୀୟ ।
ବାପା ରାଗିବେ କହି କାନ ଧରିଲ
ମିଠା ରାଗ ଗାଳିରେ ହୃଦୟ ଜିତିଲ
ତୁମ ଅଶ୍ରୁଧାର ନୟନାଭିରାମ ଲଗାମ
ମୋର କର୍ତ୍ତବ୍ୟାନୁପସ୍ଥିତି ନିଷ୍ଠୁର ପିତାସମ ।
ତୁମେ ଜହ୍ନ ପରି ଶୀତଳ ବିକଳ
ଆମେ ସୂର୍ଯ୍ୟ ପରି ଗରମ ଅଗ୍ନିସମ ଟଳମଳ
ତୁମର ଆଖିର ପରିଭାଷା ସ୍ନେହର ଫସଲ
ଆମର ସାଇତା ସ୍ନେହ କୋଣେ ଅନୁକୋଣେ
ଅଥୟ ଅପାଙ୍ଗ୍କ୍ତେୟ ଅଲୋଡ଼ା କାଙ୍ଗାଳ ।
ଯୁଗେ ଯୁଗେ ତୁମ ବିଜୟ କେତନ
ଉଡ଼େ ଫରଫର
ଧରା ଧରିଣୀ ଧରିତ୍ରୀ ସର୍ବତ୍ର
ଭାରତମାତାର ଛୋଟ ଅବତାର
ପ୍ରକୃତି ରାଣୀର ଭବ୍ୟ ସମ୍ଭାର ।
ଆମେ ହତଭାଗା ଅଭାଗା ମୁରାରୀ
ପୁରୁଷ ପ୍ରଧାନ ସମାଜର ଫମ୍ପା ପ୍ରଭାରୀ
ନୂଆ ଜୀବନ ଡିଂମ୍ବାଣୁସୂତ୍ର ଧରି
ଓଲଟ ପାଲଟ ପିତା
ସେପଟ ଏପଟ ଦାତା
ବିନା ବିଭାଗ ମନ୍ତ୍ରୀ କାଉଁରୀ ।