ଫଗୁଣର ଶେଷ ଚିଠି
ଫଗୁଣର ଶେଷ ଚିଠି
ଫଗୁଣରେ ଫଗୁଣ ବରଷକେ ଥରେ ଆସି
ତୋ ପ୍ରେମ ଅବିରେ ଧରା, ନାଚେ ହସି ହସି
ମନ୍ଦ ମନ୍ଦ ବାଆ ତୋର କୋକିଳର ତାନ
ନୂଆ ଉନ୍ମାଦନା ଭରିଯାଏ ତନୁ ମନ
ବିରହୀ ସଜାଏ ତୋତେ ଦୋଷୀ ll
ଜୀବନରେ ଆସେ ପୁଣି କେତେ କେତେ ଫଗୁଣ
ସବୁ ଫଗୁଣ କି କିଣେ, ବିରହୀର ମନ
ବିରହୀର ବେଦନା, ଫଗୁଣ ତ ବୁଝିଛି
ପ୍ରେମର ଫଲଗୁ ଆଣି ମନରେ ବୁଣିଛି
ଦେଇ ପାରିବ କି ଟିକେ ଖୁସି ll
ନାହିଁ ସେହି ସରାଗ ତ ଫଗୁଣରେ ଆଉ
ଲିଭାଇ ଦେଇଛି ପ୍ରେମ ବହ୍ନିର ଦାଉ
ସଜାଇ ଦେଇଛି ଆଜି ଏକା ଏକା ଏଠି
ଏହି ଜୀବନର ଶେଷ ଫଗୁଣର ଚିଠି
ସେଇ ଭାବନାରେ ଗଣ୍ଠି କଷି ll
ଫଗୁଣ ଆସିବ ବୋଲି ମନ ନାଚୁଥିଲା
ମଳୟ ବାସ୍ନାରେ ତାର ମନ ହଜୁଥିଲା
ସାଥେ ଥିଲା ସ୍ୱପ୍ନ ତାର ହେଲା ମରୀଚିକା
ଫଗୁଣର ଶେଷ ଚିଠି ଦେଇଗଲା ଧୋକା
ଦୁଃଖେ ଦୁଃଖୀ ହୁଏ ଏକା ଏକା ବସି ll
ଖେଳଘର ଥିଲା ତାର ସପନର ଘର
ଭାଙ୍ଗି ଦେଲା ଚିଠି ତାର ସପନ ମହଲ.
ଚାହିଁଛି ଆଜି ସେ ତାର ପ୍ରିୟର ପଥକୁ
ଅଭାଗିନୀ, ଅନାଥିନି ଆଦରି ତା କର୍ମକୁ
କେମିତି କଟିବ ତା ଜୀବନ ନିଶି ll
