STORYMIRROR

Hitendra Mohanta

Abstract

3  

Hitendra Mohanta

Abstract

ଫେରି ଯା କରୋନା

ଫେରି ଯା କରୋନା

2 mins
260

ପ୍ରବଳ ପ୍ରତାପୀ ମହା ପରାକ୍ରମୀ

ବିଶ୍ୱରେ ରଚୁଛି ତାଣ୍ଡବ ସୁନାମୀ

କ୍ଷୁଦ୍ରାତିକ୍ଷୁଦ୍ର ଅଣୁଜୀବ ମାତ୍ର

ନିଃଶ୍ୱାସରେ ଉଡିଯିବ

ଟିପ ଦେଲେ ଝଡିଯିବ

ଖାଲି ଆଖିରେ ବାରି ହୁଏନି

ତାର ଆକୃତି କି ଆକାର

ନାଲି ଆଖିରେ ଦେଖାଉଛି

ବିଶ୍ୱବାସୀଙ୍କୁ ଯମର ଦୁଆର

ଦେଖ ତାର ବହପ

ଶୁଣ ପୁଣି ଆସ୍ପର୍ଦ୍ଧାର ଫୁତ୍କାର

ବିଶ୍ୱ ଜୟର ମାୟାବୀ ସ୍ୱପ୍ନରେ

ଗୋଟାପଣ ସେ ତ ଆତ୍ମବିଭୋର

ହେବନି ବା କେମିତି

ପ୍ରତିପକ୍ଷ ପରା ଅସ୍ତ୍ରହୀନ

ଧନୁ ଅଛି ନାହିଁ ତୀର

ନାହିଁ ବି ପ୍ରତିଷେଧକ

ଅବା କିଛି ଉପଚାର

ତାହେଲେ କିଏ ସେ ଅଜାତଶତ୍ରୁ

କି ବା ତାର ପରିଚୟ ଆଉ ଠିକଣା

ନାମରୁ ତ ମନେ ହୁଏ

ପରୀରାଇଜର କେଉଁ ଏକ 

ଚୁଲୁବୁଲି ରାଜଜେମ‍ା

ଅଥବା ଅହି ସୁଲକ୍ଷଣୀ 

ସମ୍ଭ୍ର‍ାନ୍ତ ଲଳନା

ବାସ୍ତବରେ କିନ୍ତୁ ରୂପ ଯୌବନ

ସଭିଙ୍କୁ ଅଛପା, ସମ୍ପୂର୍ଣ୍ଣ ଅଜଣା

ପ୍ରେମ ବଦଳରେ ବିରହର ସ୍ତୁତି

ମିଳନକୁ ଛାଡି ବିଚ୍ଛେଦର ପ୍ରୀତି

ଏ ମହାତନ୍ତ୍ରର ମୁଗ୍ଧ ଉପାସିକା

ଭକ୍ତି ଉପାସନା ; ନିତ୍ୟ ପ୍ରାର୍ଥନା

ଜନ୍ମଭୂମି ପୁଣି ପଡୋଶୀ ଚାଇନା

ଉଆଁସୀ କନ୍ୟା ସେ

ବିଶ୍ୱ ମହାମାରୀ ନାଆଁ କରୋନା

ପ୍ରାଣଘାତିନୀ ତା ଘୃଣ୍ୟ ବାସନା

ଭୌଗଳିକ ସୀମା ବେଖାତିର କରି

ଚରି ବୁଲୁଛି ସେ ଦେଶ ଦେଶାନ୍ତର

ଦାଣ୍ଡଘାଟଠାରୁ ପିଣ୍ଡା ଅଗଣା

କର୍ମ ପୁଣି ତ‍ାର ସୁଯୋଗ ଉଣ୍ଡିକି

ମଣିଷକୁ ଦିଏ ମୃତ୍ୟୁର ଯନ୍ତ୍ରଣା

ଲୁଚକାଳି ଖେଳେ ଅବା ପ୍ରବୀଣା

ଲୁଚି ଛପି ଆସି ଚୁମି ଦେଲେ ଥରେ

କଥା ସରିଗଲା, ଶୁଭେ କାନ୍ଦଣା

ଧର୍ମ ହେଲା ତାର ଚୋରାବାଲି ପରି

ଥିରି ଗ୍ରାସେ ଦେହ ଖେଳାଇ ଯାତନା

ବାରବୁଲୀଟାଏ ଡିଆଁ ମାରୁଥାଏ

ଏ ଦେହୁଁ ସେ ଦେହ

ବାଡବତା ନାହିଁ

ନାହିଁ ବି ଲଗାମ କି କଟକଣା

ଚୁଟୁକିରେ ନଚାଉଛି ସମଗ୍ର ବିଶ୍ୱକୁ

ଚତୁର୍ଦିଗେ ହା ହା କାରର

ଭୀତି ଶଙ୍କୁଳ ଆର୍ତ୍ତନାଦ

ହନ୍ତସନ୍ତର ବୁଢିଆଣୀ ଜାଲରେ ଛନ୍ଦୁଛି

ଜୀବନକୁ ମରଣର କାଠଗୋଡାରେ 

ଠିଆ କରୁଛି ଦାନବରୂପୀ

ଏଇ ନରହନ୍ତା ଜହ୍ଲାଦ

ବିଜ୍ଞାନର ବଳ ପ୍ରଯୁକ୍ତି କୌଶଳ

ଅର୍ଥର ଗରିମା କ୍ଷମତାର ବଡିମା

କାଟୁ କରୁନି, ମଥାନତ ଆତ୍ମସମର୍ପଣରେ

ତାଚ୍ଛଲ୍ୟର ଅଟ୍ଟହାସ୍ୟରେ ବିସ୍ତାରୁଛି କାୟା

ଦୈର୍ଘ୍ୟ-ପ୍ରସ୍ଥ ସଙ୍ଗେ ଅକ୍ଷାଂଶ-ଦ୍ରାଘିମା

ଦଶଦିଗ ବ୍ୟାପି ଅତି ସନ୍ତର୍ପଣରେ

ବିପଦ; ଘୋର ବିପଦ; ଘନଘଟା ଅନ୍ଧାର

ତିଳେ ବି ନାହିଁ ନିସ୍ତାର

ନାଚାର, ଅନନ୍ୟୋପାୟ ସର୍କାର

ଦିନିକିଆ ଜନତା କର୍ଫ୍ୟୁ ପରେ

ତାଲା ବନ୍ଦ ଡାକରା ତିନି ହପ୍ତାର

ଜନତା ବି ଭୟାତୁର ; ବାଟବଣା

ହୋମ ଯଜ୍ଞ ଆହୂତିରେ କଟକଣା

ପର୍ବ ପର୍ବାଣି ମେଳା ମହୋତ୍ସବ ମନା

ହେବନି ବି ମନ୍ଦିର ମସଜିଦ

ଗୀର୍ଜା ଗୁରୁଦ୍ୱାରରେ ପୂଜା ଅର୍ଚ୍ଚନା

ଏକ ଏବଂ ଏକମାତ୍ର ବିକଳ୍ପ

ଯାହାକି କରିବ ଏ ବିପତ୍ତିର ସାମ୍ନା

ଗୃହେ ବନ୍ଦୀ ହୋଇ ମୁଖେ ତୁଣ୍ଡି ଦେଇ

ସାମାଜିକ ଦୂରତ୍ୱ ରକ୍ଷାର ପ୍ରତିଜ୍ଞା

ସମ୍ପର୍କର ଗାଢ ଯେତେ ବି ନିବିଡ

ଚୁମ୍ବନ ହେଉକି କରମର୍ଦ୍ଦନ

ଆଲିଙ୍ଗନକୁ ତ ସମ୍ପୂର୍ଣ୍ଣ ନା

ଭଗବତ ସମୀପ ହେବାର ଏ କ୍ଷଣ

ପୁନଃପ୍ରସାରଣ ମହାଭାରତ

ରାମାୟଣ ପୁଣି ହେଲା ଘୋଷଣା

ବାରମ୍ବାର ସତେ ହସ୍ତ ପ୍ରକ୍ଷାଳନ

ମୂଲପୋଛ ଯେତେ ଅଳିଆ ଅସନା

ଫରଫର ଉଡୁ ସ୍ୱଚ୍ଛତାର ବାନା

ସାବୁନ୍ ସାନିଟାଇଜର ଏବେର ଗହଣା

ପ୍ରତିକାରଠାରୁ ସତର୍କତା ଭଲ

ନିଷ୍ଠାରେ ପାଳିବା ନ କରି ବାହାନା

ଶତ ଚେଷ୍ଟା ତ‍ାର ନିଶ୍ଚେ ବ୍ୟର୍ଥ ଜାଣ

ଯେତେ କଲେ ଫନ୍ଦି ଫିକର ଛଳନା

ଆଧ୍ୟାତ୍ମିକ ଭୂମି ଜଗନ୍ନାଥ ସ୍ୱାମୀ

ଚଳିବନି ତାର ଶୁଣ୍ଠା ଗଞ୍ଜଣା

ସତର୍କତା ସଙ୍ଗେ ମହାମନ୍ତ୍ର ଜପି

ନିଶ୍ଚିହ୍ନ ହେବ ତା ବଂଶ ପ୍ରଗଣା

ହାରିବା ଆଗରୁ ଫେରି ଯା କରୋନ

ମେଲାଣି ଦେଉଛୁ ଦୁଇ ହାତ ଯୋଡି

ନମସ୍କାର ଭାରତୀୟ ସଣ୍ଠଣା

ହାରିବା ଆଗରୁ ଫେରି ଯା କରୋନା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract