STORYMIRROR

Sachidananda Kar

Inspirational Children

4  

Sachidananda Kar

Inspirational Children

ଫେରାଇବା ଆସ

ଫେରାଇବା ଆସ

1 min
250


        ମଉଳା ଫୁଲକୁ ଫେରାଇବା ଆସ

             ତା'ର ରୂପ,ରଙ୍ଗ ତା' ମିଠା ବାସ

        ସଜଫୁଟା ପରି ଦିଶିବ ସେ ପୁଣି

              ଅଧରେ ଫୁଟିବ ତା' ଦରହାସ ।। 


        ଲଣ୍ଡା ପାହାଡ଼କୁ ଫେରାଇବା ଆସ

              ଗଛ, ଲତା ଯାହା ଥିଲା ସେ ଧରି

        ଗାଇବ ସେ ଗୀତ ଫୁଲିବ ଖୁସିରେ

              ଦିଶିବ ସବୁଜ ସୁନ୍ଦରୀ ପରି ।। 


        ଶୁଖିଲା ନଈକୁ ଫେରାଇବା ଆସ

              ବହି ଯାଉଥିବା ତା' ଜଳରାଶି

        ନାଚି ଖେଳି ସିଏ ଧାଇଁବ ଆନନ୍ଦେ

              ଖୁସି ଦିଶୁଥିବ ସେ ବାରମାସୀ ।। 


        ଟାଙ୍ଗରା ଭୂଇଁକୁ ଫେରାଇବା ଆସ

              ତା'ର ସବୁଜିମା ସୁନ୍ଦର ଠାଣି

        ନାନା ଜାତି ନୂଆ ଫସଲ ମେଳରେ

              ହସିବ ସେ ମନେ ଆନନ୍ଦ ଆଣି ।। 


        ଖରାର ବାଟକୁ ଫେରାଇବା ଆସ

             ଧାଡ଼ି ଧାଡ଼ି ଗଛ ଶୀତଳ ଛାଇ

        ହେବ ସିଏ ସୁଖୀ ଦେବ ସେ ଭରସା

             ବାଟୋଇଏ ବସି ମାରିବେ ହାଇ ।। 


        ଅବୁଝା ଶିଶୁକୁ ଫେରାଇବା ଆସ

             ତା'ର ଖେଳ ମେଳ ବୁଝିବା ପଣ

        ହସିବ ସେ ଧୀରେ ଦେଖିଦେଲେ ତାକୁ

             ଖୁସି ହେବେ ପାଞ୍ଚ ପଚିଶ ଜଣ ।। 


        ଅସତ ଜନଙ୍କୁ ଫେରାଇବା ଆସ

             ଭଲ ବାଟ ଭଲ ଲୋକଙ୍କ ମେଳ

        ଗୁଣ,ପଣେ ସବୁ ହେବେ ଆଲୋକିତ

             ଦୂରେଇ ରହିବ ଅନ୍ଧାର ବେଳ ।। 


        ଯିଏ ଯାହା ଏଠି ଦେଇଛି ହଜେଇ

             ଫେରାଇବା ଆସ ତାହାକୁ ଯାଇ

        ବିଶ୍ୱ ହେବ ମନୋହର ମଧୁମୟ

             ପରାଣ ପୁଲକେ ଉଠିବ ଗାଇ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational