ପଦ୍ମ ପଳାଶ ଲୋଚନ
ପଦ୍ମ ପଳାଶ ଲୋଚନ
ପଦ୍ମ ପଳାଶ ନୟନ
ପଦ୍ମଧାରୀ ପଦ୍ମ ଲୋଚନ ।
ପଦ୍ମାସନ ପଦ୍ମସମ୍ଭବ
ପଦ୍ମନାଭ ପଦ୍ମ ଭୂଷଣ ।
ପଦ୍ମ ରେ ଶରଧା ଠାକୁର
ପଦ୍ମମୁଖ ପଦ୍ମ ପୟର ।
ପଦ୍ମ ର ଅପୂର୍ବ ଶୋଭାଟି
ପଦ୍ମବେଶ ମାଘେ ହୁଅନ୍ତି ।
ମନୋହର ଦାସ ସନ୍ଥଟି
ମହେନ୍ଦ୍ରଗିରିରେ ବାସଟି ।
ମହାପ୍ରଭୁଙ୍କ ର ଦର୍ଶନ
ମନୋହର ହେଲେ ଉଛନ ।
ମହେନ୍ଦ୍ର ଗିରି ରୁ ଶ୍ରୀକ୍ଷେତ୍ର
ଶହଶହ କୋଷ ସେ ଦୂର ।
ପ୍ରଭୁଙ୍କର ନାମ ଗାଇରେ
ସାଧୁ ତ ଚଳିଲେ ଶ୍ରୀକ୍ଷେତ୍ରେ ।
ରାତିଦିନ ସାଧୁ ଚାଲନ୍ତି
ଥକିଗଲେ ଟିକେ ବସନ୍ତି ।
ପଥରେ ବିଶ୍ରାମ ନିଅନ୍ତି
ପ୍ରଭୁଙ୍କର ନାମ ଗାଆନ୍ତି ।
ଥକ୍କାପଣ ଯାଏ ଚାଲିରେ
ଚାଲନ୍ତି ସେ ପୁଣି ଖୁସିରେ ।
ମନୋହର ମନ ହରଷ
ପାଇବେ ପ୍ରଭୁଙ୍କ ପରଷ ।
ମନୋହର ଏକ ଗ୍ରାମରେ
ସ୍ନାହାନ କରିବା ବେଳରେ ।
ଆଶ୍ଚର୍ଯ୍ୟ କଥାଟି ଦେଖିଲେ
କଥାଟିକୁ ବସି ଭାବିଲେ ।
ଶୀତରେ ତ ପଦ୍ମ ଫୁଟେନି
କଢିଟିଏ କାହିଁ ଦିଶେନି ।
ହେଲେ ସେହି ସରୋବରରେ
ପଦ୍ମଫୁଲ ଅଛି ଭରାରେ ।
ସାଧୁଯେ ସ୍ନାହାନ ସାରିଲେ
ଜପତପ ତାଙ୍କ କରିଲେ ।
ମେଞ୍ଚାଏ ପଦ୍ମ ଯେ ତୋଳିଲେ
ଗାମୁଛାରେ ତାଙ୍କ ବାନ୍ଧିଲେ ।
ଫୁଲର ଗଣ୍ଠିଲି ଧରିଲେ
ଶ୍ରୀକ୍ଷେତ୍ରକୁ ସାଧୁ ଚଳିଲେ ।
ପ୍ରଭୁଙ୍କୁ କରିବେ ଅର୍ପଣ
ଅଦିନରେ ପାଦେ କମଳ ।
ମନୋହର ମନ ଖୁସିରେ
ଚାଲିଥାନ୍ତି ନାମ ଘୋଷିରେ ।
ବିତିଗଲା ସାତଦିନରେ
ସାଧୁ ପହଞ୍ଚିଲେ ଶ୍ରୀକ୍ଷେତ୍ରେ ।
ଶ୍ରୀମନ୍ଦିର ଦ୍ବାର ଦେଶରେ
ସାଧୁ ମନୋହର ଦାସରେ ।
ପହଞ୍ଚିଲେ କେଡେ ଖୁସିରେ
ଦେଖିବେ ସେ ଚକାଆଖିରେ ।
ସେବକ ଗଣ୍ଠିଲି ଖୋଲିଲେ
ଶୁଖିଲା କମଳ ଦେଖିଲେ ।
ହସାହସି ସବୁ ହେଲେରେ
ଫୁଲତ ଗଲାଣି ଶୁଖିରେ ।
ଶୁଖିଲା ଫୁଲକି ଶ୍ରୀଅଙ୍ଗେ
କିପରି କୁହଗୋ ଲାଗିବେ ।
ଫୋପାଡି ଦେବାକୁ କହିଲେ
ମନୋହର ନାହିଁ କରିଲେ ।
ପଦ୍ମ ପୁଟୁଳାକୁ ଧରିଟି
ଦ୍ବାରଦେଶୁ ଗଲେ ଲେଉଟି ।
ବଡଛତା ମଠ ପାଖରେ
ସାଧୁତ ବସିଲେ ଦୁଃଖରେ ।
ପଦ୍ମ ଆଣିଥିଲେ ଯତ୍ନରେ
ଲାଗିଲାନି ପ୍ରଭୁ ଅଙ୍ଗରେ ।
କପାଳକୁ ସେତ ନିନ୍ଦିଲେ
ଜୀବନ ହାରିବେ ଭାବିଲେ ।
ଦୟାମୟ ଦୟାସାଗର
ବୁଝିପାରି ଭକ୍ତ ଅନ୍ତର ।
ସ୍ବପ୍ନ ରେ ରାଜାଙ୍କୁ କହିଲେ
ଭକ୍ତକଥା ବୁଝ ପହିଲେ ।
ବଡଛତା ପାଖେ ବସିଛି
ମନଦୁଃଖେ ସେତ କାନ୍ଦୁଛି ।
ଆଣିଥିଲା ପଦ୍ମ ଫୁଲସେ
ପାରିଲାନି ମୋତେ ଦେଇସେ ।
ସ୍ବପ୍ନାଦେଶ ପାଇ ରାଜନ
ରାଜଗୁରୁଙ୍କୁ କଲେ ପ୍ରେରଣ ।
ରାଜଗୁରୁ ଯାଇ ଦେଖିଲେ
ମନୋହରଙ୍କୁତ ମିଳିଲେ ।
ଆଶ୍ଚମ୍ବିତ କଥା ଘଟିଲା
ପଦ୍ମ ତ ସତେଜ ଦିଶିଲା ।
ସି°ହାରୀ ଫୁଲକୁ ନେଇରେ
ପ୍ରଭୁଙ୍କୁତ ବେଶ କରିଲେ ।
ଅପୂର୍ବ ପ୍ରଭୁଙ୍କ ବେଶଟି
ଉଠିଲା ସତେକି ଚହଟି ।
ବଡଛତା ମଠ ମହନ୍ତ
କ୍ଷୀରି ଭୋଗ କଲେ ଲାଗିତ ।
ଜୟ ଜଗନ୍ନାଥ ଜୟତ
ଉଛୁଳିଲା ଚଉଦିଗତ ।
ମନୋହର ଦାସ ଖୁସିରେ
ଲୋଟିଗଲେ ସେତ ଭୂଇଁରେ ।
ସେହିଦିନୁ ମାଘମାସରେ
ମହାପ୍ରଭୁ ପଦ୍ମ ବେଶରେ ।
ମାଘମାସେ ପଦ୍ମ ମିଳେନି
ଶୀତରେ ତ ପଦ୍ମ ଫୁଟେନି ।
ସେଥିପାଇଁ ସୋଲ ଫୁଲେଟି
ପଦ୍ମବେଶ ପ୍ରଭୁ ହୁଅନ୍ତି ।
ବଡଛତା ମଠ ସେଇଠି
ସୋଲଫୁଲ ସବୁ ଯୋଗାନ୍ତି ।
ମାଘ ଶୁକ୍ଳ ପ୍ରତିପଦରୁ
ବସନ୍ତ ପଞ୍ଚମୀ ମଧ୍ୟରେ ।
ଶିନି ଅବା ବୁଧବାର ରେ
ଯେଉଁ ବାର ପଡେ ଆଗରେ ।
ପ୍ରଭୁ ପଦ୍ମବେଶ ହୁଅନ୍ତି
ବଡଛତା ମଠ ଯୋଗାନ୍ତି ।
ସରିଗଲେ ସନ୍ଧ୍ୟା ଧୂପରେ
ସୋଲ ଫୁଲ ସବୁ ଆସେରେ ।
ସେଦିନର ବଡସି°ହାର
ପଦ୍ମବେଶ ତିନି ଠାକୁର ।
ପଣେ ସୋଲ ପଦ୍ମ ଫୁଲଟି
ପ୍ରଭୁଙ୍କୁ ଠି ଲାଗି ହୁଏଟି ।
ଅପୂର୍ବ ସେ ପଦ୍ମ ବେଶଟି
ଭକତଙ୍କ ମନ ମୋହେଟି ।
ପଦ୍ମ ବେଶେ ପ୍ରଭୁ ଶୁଅନ୍ତି
ସକାଳେ ଭକତ ଦେଖନ୍ତି ।
ଭକ୍ତ ଭାବେ ମହାପ୍ରଭୁତ
ଯୁଗେଯୁଗେ ସେତ ବନ୍ଧାତ ।
ଭକ୍ତ ପାଇଁ ପଦ୍ମ ବେଶତ
ମନେ ରଖିଅଛି ଜଗତ ।
ପ୍ରଭୁସେ ଅସୀମ ଅନନ୍ତ
ଭାବବିନୋଦିଆ ସାଆନ୍ତ ।
ବନ୍ଦୁଛୁ ତୁମରି ଚରଣ
ପାଦରେ ଦେବାକୁ ଶଜରଣ ।