STORYMIRROR

Biswanath Nayak

Classics

2  

Biswanath Nayak

Classics

ପଦେ କଥା

ପଦେ କଥା

1 min
123

            


ସବୁ ଦୋଷ ତୁମ ମୋ ମୁଣ୍ଡରେ ଲଦି,

ତୁମେ ଯଦି ସୁଖ ପାଅ। 

ଦୁଖ ନାହିଁ ମୋର କାମନା କରେ ମୁଁ,

ସୁଖୀ ରୁହ ସୁଖୀ ରୁହ।  

ସବୁ ଦୁଖ ତୁମ ମୋ ଝୁଲିରେ ଭରି,

ତୁମେ ଯଦି ଖୁସି ହୁଅ। 

ମନା ନାହିଁ ମୋର କାମନା କରେ ମୁଁ,

ଖୁସି ରୁହ ଖୁସି ରୁହ।  

ସବୁ ପାପ ତୁମ ମୋ ଖାତାରେ ଲେଖି,

ଯଦି ତୁମେ ପୁଣ୍ୟ ଚାହଁ। 

ଅଭିଯୋଗ ନାହିଁ କାମନା କରେ ମୁଁ,

ସବୁ ପୁଣ୍ୟ ଫଳ ପାଅ। 

ସବୁ ଅମା ରାତି ମୋତେ ଦେଇ ଯଦି,

ପୂର୍ଣିମା ଆଲୋକ ଚାହଁ।  

ଆପତ୍ତି ମୋ ନାହିଁ ,

କାମନା କରେ ମୁଁ,

ଆଲୋକିତ ତୁମେ ହୁଅ।  

ସବୁ ହଳାହଳ ମୋ ପାଇଁ ସାଇତି,

ପୀୟୁଷ କୁ ଯଦି ଚାହଁ। 

ନୀଳକଣ୍ଠ ସାଜି କରୁଛି କାମନା,

ଅମୃତ ପରଶ ପାଅ। 

କିନ୍ତୁ!

ଆମ ଦୁହିଁଙ୍କର ସମ୍ପର୍କ ସେତୁରେ,

ନ ପୋତ ସନ୍ଦେହ ଚାରା। 

ଦ୍ରୁମ ପାଲଟିବ ଓପାଡି ହେବନି,

ବିତିଲେ ଜୀବନ ସାରା। 

ହସୁଥାଉ ଆମ ପବିତ୍ର ସମ୍ପର୍କ,

ସକାଳ ସୁରୁଜ ପରି। 

ସେ ହସ ଛୁଆଁରେ,

ଦୁଖ ହେଉ ସୁଖ ପାପ ହେଉ ପୁଣ୍ୟ ସରି।  

ଅଭିମାନେ ତୁମେ ମୁହଁ ଫେରାଅନା,

ମୋ ମୁହଁକୁ ଥରେ ଚାହଁ। 

ନୀରବ ରହିଲେ,

କଥା ମାନିବନି ଅମାନିଆଁ ଆଖିଲୁହ।  

ମନ ଆକାଶରେ ତାରାଟିଏ ହୋଇ,

ରହିବାକୁ ମୋତେ ଦିଅ। 

ଯେତେଦୂରେ ଥିଲେ,

ନିରେଖୁ ଥିବି ମୁଁ ତୁମ ହସ ହସ ମୁହଁ। 

ସବୁ ସହିଯିବି,

ସହି ପାରିବିନି ତୁମର ଶୁଖିଲା ମୁହଁ। 

ଓଠଧାରେ ତୁମ ହସ ଟିକେ ଥାଉ,

ମିଠା କଥା ପଦେ କୁହ। 

ମିଠା କଥା ପଦେ କୁହ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics