ପଢୁଆଁ ଭାର
ପଢୁଆଁ ଭାର
ସାତ ବରଷ ଚଗଲା ପିଲା
ନାମ ତାହାର ଟୁକୁ l
ବାପ ମାଆଙ୍କ ଏକୋଇ ବଳା
ହୁଏ ସେ ଫୁକୁଫୁକୁ l
ହାଫ ପ୍ୟାଣ୍ଟ, ଟିଇ ସାଆଟ
ସାଥେ ପିନ୍ଧେ ସେ ଗଞ୍ଜି l
ଯେଉଁଠି ସେଠି ଚଗଲା ହୋଇ
ଆଙ୍ଗୁଳି ଦିଏ ଗେଞ୍ଜି l
ବିଦ୍ୟୁତ ପ୍ଲୁଗ ପଏଣ୍ଟ ଏକ
ଘର ମଝିରେ ଥିଲା l
ଟୁକୁ ଦିନେ ତାହା ଭିତରେ
ଆଙ୍ଗୁଳି ଗେଞ୍ଜି ଦେଲା l
ଭେଏଏଁ କରି କାନ୍ଦି ଉଠିଲା
ଖାଇ ବିଜୁଳି ସକ l
ସେହି ଦିନରୁ ଦେଲା ସେ ଛାଡ଼ି
ଆଙ୍ଗୁଳି ଗେଞ୍ଜା ସୌକ l
ପାଠ ପଢ଼ାରେ ଅମନଯୋଗୀ
କିନ୍ତୁ ବୁଦ୍ଧିଆ ଭାରି l
ପାଠ ତାହାକୁ ଯାହାଟି ଦେବ
ତୁରନ୍ତ ଦେବ କରି l
ବିଲେଇ ଛୁଆ ଦୁଇଟି ସିଏ
ଭାରି ଆଦର କରି l
ପୋଷି ଥାଏ ସେ ଅତି ଯତନେ
ଯେମନ୍ତ ପୁଅ ପରି l
ଖେଳେ ସେ ନିତି ବିଲେଇ ସାଥେ
ଖୁଆଏ ଦୁଧଭାତ l
ଶୁଆଇ ଦିଏ ବିଛଣା ପାରି
ସାଉଁଳି ଦେଇ ହାତ l
ତା ଘର ପାଖ ନଡ଼ିଆ ଗଛେ
ରହେ ଗେଉଁଆଁ ହନୁ l
ଟୁକୁର ଖେଳ ବିଲେଇ ସାଥେ
ନ ଯାଏ ତାର ମନୁ l
ବିଲେଇ ଖିଆ ବିସ୍କୁଟ ଦେଖି
ପାଟିରୁ ଲାଳ ବହେ l
ଲୋଭି ହୋଇ ସେ ଅନେଇ ଥାଏ
ଟୁକୁ ଖତେଇ ହୁଏ l
ଖତେଇ ଦେଖି ଦୁଃଖରେ ହନୁ
ବିଚାରେ ମନେ ମନେ l
ଯେମିତି ହେଲେ ଟୁକୁକୁ ମୁହିଁ
ଦେବି ନିଶ୍ଚୟ ପାନେ l
ଏମିତି ହୋଇ ବିତିଲା ଦିନ
ମଗୁଶୀର ଆସିଲା l
ବଡ଼ ପରଵ ପ୍ରଥମାଷ୍ଟମୀ
ଟୁକୁ କରିଲା ହାଲା l
ମାମୁଁ ଆଣିବେ କେତେ ଦରବ
ମିଠା ଓ ପ୍ୟାଣ୍ଟ ସାର୍ଟ l
ଏଣ୍ଡୁରି ଖାଇ ପୋଷାକ ପିନ୍ଧି
ଦିଶିବି ବଡ଼ ସ୍ମାର୍ଟ l
ଏତେ ବିଚାରି ଟୁକୁ ବସିଲା
ମାମୁଁଙ୍କ ବାଟ ଚାହିଁ l
ଦଶଟା ବେଳେ ପହଞ୍ଚି ଗଲେ
ଆସି ମାମୁଁ ଓ ମାଇଁ l
ଭଣଜା ଧରି ଗେଲ କରିଲେ
କୋଳେ ଆଉଜି ମାଇଁ l
ଅତି ହରଷେ ଟୁକୁ ନାଚିଲା
ତାଥେଇ ଥେଇ ଥେଇ l
ଗଛ ଉପରେ ହନୁ ଚିନ୍ତଇ ବଡ଼
ସୁଯୋଗ ଭାଈ l
ଏହାକୁ ଯଦି ଛାଡ଼ିବି ମୁହିଁ
ଯୋଗ ମିଳିବ ନାହିଁ l
ଏତେ ବିଚାରି ହନୁ ବସିଲା
ଗଛେ ଅନିଶା କରି l
ସୁଯୋଗ ଦେଖି ଡ୍ରେସ ପୁଡିଆ
ନେବ ସେ ଝାମ୍ପମାରି l
ଥଳିଟି ଖୋଲି ଡ୍ରେସ ପୁଡିଆ
ମାମୁଁ ରଖିଲେ କାଢ଼ି l
ଡ୍ରେସ ଥୋଇ ଖୁସିରେ ଟୁକୁ
ଧରେ ମାମୁଁଙ୍କୁ ଭିଡ଼ି l
ଇତ୍ୟବସରେ ହନୁ ଗଛରୁ
ବେଗେ ଆସିଲା ଧାଇଁ l
ପୁଡିଆ ନେଇ ଗଛେ ବସିଲା
ଯେମନ୍ତ ବଡ଼ ଜୋଇଁ l
ଦାନ୍ତେ କାମୁଡ଼ି ହାତରେ ଭିଡ଼ି
ପୁଡ଼ିଆକୁ ଛିଣ୍ଡାଇ l
ଜିନିଷ ଯାହା ପାଇଲା ହନୁ
ମନ ଘେନିଲା ନାହିଁ l
ଟଣା ଓଟରା କରି କରିକି
ପାଇଲା ଗୋଟେ ଟୋପି l
ମୁଣ୍ଡରେ ପିନ୍ଧି ନାଚିଲା ହନୁ
ଯେମନ୍ତେ ରାସେ ଗୋପୀ l
ସକେଇ ହୋଇ ଟୁକୁ କାନ୍ଦୁଛି
ହନୁ ନାଟକୁ ଚାହିଁ l
ହନୁ ଦାରୋଗା ଗଛେ ଟୁକୁକୁ
ହେଉଅଛି ଖତେଇ l