ପଚାଶ ବର୍ଷର ବୁଢା଼
ପଚାଶ ବର୍ଷର ବୁଢା଼
ଈଶ୍ବରଙ୍କ ଇଛା ଥିଲାବୋଲି ମୁହିଁ
ବଞ୍ଚିଲି ପଚାଶ ବର୍ଷ
ଜଗତ କଲ୍ଯାଣ ନ କରି ପାରିବା
ମୋର ପାଇଁ ହେଲା ବିଷ।
ନିତି ହିଁ ସକାଳୁ ଲୁହରେ ଗାଧୋଇ
ବସିରହେ କୁଡି଼ଆରେ
ରାତି ହୋଇଗଲେ ନିଦେ ଶୋଇଯାଏ
ଭାବେନା ଦେଶ କଥାରେ।
କିଏ ବେଳେବେଳେ ହୃଦୟରେ ବସେ
ଲେଖିଦିଏ ଦୁଇପଦ
କେହିକେହି ମୋତେ କହି ବୁଲୁଛନ୍ତି
ଆହା କବିଭାବ ସ୍ବାଦ।
ସତ ହିଁ କହୁଛି କବିତା କେବେ ବି
ହୋଇଛି ନା ହେବ ମୋର
ଇଆଡୁ ସିଆଡୁ ଅକ୍ଷର ଶଦ୍ଦରେ
ଯୋଡି଼କି ବୁହାଏ ଝର।
ପୂର୍ବଜ ଲେଖକ ଯେମିତି ଭାବନା
ଆସେନି ହୃଦ ମନ୍ଦିରେ
ତେବେ ମୁଁ କେମିତି କବିଟିଏ ହେବି
କୁହ ତ ସଂସାରପୁରେ ।
ଲୋକ ଦେଖାଣିଆ କବିଟିଏ ମୁହିଁ
ନୀଚ୍ଚତା ହିଁ ଗନ୍ତାଘର
ମୋର ଲେଖାପଢି଼ କେହି ଜଣେ ହେଲେ
ଜୀବନ ଗଢେ଼ କି ତାର ।
ଏହିପରି ମୋର ହୃଦୟରେ ଅଛି
ଆତ୍ମସ୍ବାର୍ଥ ଜୀବନରେ
ପର ଦୁଃଖ ଦେଖି କାନ୍ଦେନି ମୋ'ପ୍ରାଣ
ବର୍ଷା କି ଶୀତ ଖରାରେ ।
ପଚାଶ ବର୍ଷର ବୁଢା଼ ଆଜିକାଲି
କର୍ମର ଫଳ ପାଉଛି
ରୋଗ ଶୋକ ସହ ବିଛଣାରେ ଗଡି଼
ଲୁହକୁ ବୁହାଉ ଅଛି।
ବୁଝିଲିନି ଘର ପରିବାର କିଏ
ବନ୍ଧୁ ପରିଜନ ଲୋକ
ସେ ପାଇଁ ଆଜି ମୁଁ ଏକଲା ଜୀବନ
ବିତାଇ ପାଉଛି ଶୋକ।
ସଭିଙ୍କୁ ଆଜି ମୁଁ ଦୁଇ ହସ୍ତେ ଯୋଡି଼
ଅନୁତାପେ ସଢି଼ ମାଗେ
ନିଜର ଗୁଣରେ କ୍ଷମା କରିଦେବ
ଏ ବୁଢା଼କୁ ଦୟାଭରେ।
